ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ସାଧାରଣ ଲୋକଙ୍କୁ ଚିକିତ୍ସା ଯୋଗାଇବାରେ ବ୍ୟତିକ୍ରମ ଦେଖାଦେଇଛି। କାର୍ଯ୍ୟରତ ଥିବା ଜଣେ ଡାକ୍ତର ସାଧାରଣ ଲୋକଙ୍କୁ ଚିକିତ୍ସା ଯୋଗାଇବା ପରିବର୍ତ୍ତେ ଏକ ଘରୋଇ କ୍ଲିନିକରେ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଶିଶୁରୋଗ ବିଭାଗର ଡାକ୍ତର ହିମାଂଶୁ ପରିଡାଙ୍କର ଡ଼ିସେମ୍ବର ୧୦ ତାରିଖ ସକାଳ ୮ଟାରୁ ଦିନ ୧୨ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟ ସମୟ ନିର୍ଦ୍ଧାରିତ ହୋଇଥିଲା।
ସେହିଦିନ ଅପରାହ୍ନ ପ୍ରାୟ ୪ଟା ୧୫ରେ ଏକ ଦମ୍ପତି ୩ମାସର ନବଜାତ ଶିଶୁକୁ ଦେଖାଇବା ପାଇଁ ଚିକିତ୍ସାଳୟକୁ ଆସିଥିଲେ। ଟିକେଟ କରି ଓପିଡିକୁ ଯାଇ ଡାକ୍ତର ହିମାଂଶୁ ପରିଡ଼ାଙ୍କୁ ପରାମର୍ଶ କରିବାକୁ କହିଥିଲେ।ସେଠାରେ ଥିବା ସୁରକ୍ଷା କର୍ମଚାରୀ ଡାକ୍ତର ନାହାନ୍ତି ବୋଲି କହିଥିଲେ। ତେଣୁ ଉକ୍ତ ଦମ୍ପତି ହତାଶ ହୋଇ ଘରକୁ ଫେରିଥିଲେ।ପରେ ଶିଶୁର ଚିକିତ୍ସା ପାଇଁ କିଛି ଘରୋଇ କ୍ଲିନିକକୁ ଫୋନ କରି ଶିଶୁ ବିଭାଗ ଡାକ୍ତରଙ୍କ ଆସିବା ବିଷୟରେ ବୁଝିଥିଲେ।ସେ ଯେତେବେଳେ ବାଘୁଆବୋଲ ଏକ ହେଲଥ୍ କେୟାରକୁ କଲ କରିଥଲେ ସେତେବେଳେ ଜାଣିବାକୁ ପାଇଥିଲେ ଯେ ଡାକ୍ତର ପରିଡ଼ା ସେହିଦିନ ପୂର୍ବାହ୍ନ ୧୦:୩୦ରେ ଉକ୍ତ କ୍ଲିନିକରେ ଶିଶୁ ମାନଙ୍କୁ ଚିକିତ୍ସା କରୁଥିଲେ।
ସରକାରୀ ଡ୍ୟୁଟି ସମୟରେ ଅନ୍ୟ ଏକ ପ୍ରାଇଭେଟ୍ କ୍ଲିନିକରେ ଯାଇ ରୋଗୀ ଦେଖୁଥିବା ଜାଣିବାକୁ ପାଇ ଦମ୍ପତି କ୍ଷୋଭ ପ୍ରକାଶ କରିଥଲେ। ଏହାକୁ ନେଇ ସୂଚନା ଅଧିକାରୀ କର୍ମୀ ଦେବ ପ୍ରସାଦ ସାହୁ , ସ୍ବାସ୍ଥ୍ୟ ବିଭାଗ ଓ ଅନୁଗୁଳ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ପାଇବା ପରେ ଅନୁଗୁଳ ଜିଲ୍ଲା ଏସଡିଏମଓଙ୍କ ପାଖକୁ ଏକ ପତ୍ର ଲେଖି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁଚନା ଥାଉକି ଉକ୍ତ ଡ଼ାକ୍ତର ସେଦିନ ସକାଳେ ହସ୍ପିଟାଲକୁ ଆସି ହାଜିରା ପକାଇ ଘରୋଇ କ୍ଲିନିକକୁ ଯାଇଥିଲେ । ତାଙ୍କ ବିରୋଧରେ ଆଗରୁ ଆହୁରି ମଧ୍ୟ ଅନିୟମିତତାକୁ ନେଇ ଅନେକ ଥର ଅଭିଯୋଗ ହୋଇଛି। ଡ୍ୟୁଟି ସମୟରେ ଡ଼ାକ୍ତରଖାନାରେ ଡାକ୍ତର ନ ରହିବାରୁ ଅନେକ ରୋଗୀ ଦୂରରୁ ଆସି ନିରାଶ ହୋଇ ଫେରିଛନ୍ତି। ଅଥବା ବାହାରେ ବାଧ୍ୟ ହୋଇ ଟଙ୍କା ଖର୍ଚ୍ଚ କରି ଡାକ୍ତର ପରାମର୍ଶ କରିଛନ୍ତି।
ତେଣୁ ଏଭଳି ଡାକ୍ତର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଇଛି। ଅନ୍ୟ ପକ୍ଷରେ ରେ ଏ ନେଇ ଡ଼ାକ୍ତର ହିମାଂଶୁ ପରିଡାଙ୍କ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଯେଉଁ ଦିନକୁ ନେଇ ଅଭିଯୋଗ କରାଯାଇଛି ସେଦିନ ନିର୍ଦ୍ଧାରିତ ସମୟରେ ମୁଁ ଡ୍ୟୁଟିରେ ଯୋଗ ଦେଇଥିଲି ଏବଂ ତାର ପୂର୍ବ ରାତିରେ ମଧ୍ୟ ମୋର ଡ୍ୟୁଟି ଥିଲା ମୁଁ ଉଭୟ ଡ୍ୟୁଟି ଓ ସକାଳ ଡ୍ୟୁଟି କରିଥିଲି। ଯେଉଁ ଅଭିଯୋଗ କରାଯାଇଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ଡାକ୍ତର ପରିଡ଼ା ମତ ଦେଇଛନ୍ତି
