ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୦ରୁ ଅଧିକ ଡାକ୍ତର ଥିଲେ ବି ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ମିଳୁ ନଥିବା ଅଭିଯୋଗ ହେଉଛି। ରାତି ପାହିଲେ ଟିକେଟ କାଉଣ୍ଟର ନିକଟରେ ରୋଗୀ ଓ ସମ୍ପର୍କୀୟ ଲମ୍ବାଧାଡ଼ି ଲାଗି ରହୁଥିବ ଦେଖିବାକୁ ମିଳୁଛି।ଯାହା ଫଳରେ ଡାକ୍ତରଙ୍କ ସହ ପରାମର୍ଶ କରିବାରେ ବହୁ ବିଳମ୍ୱ ହେଉଛନ୍ତି। ଅପେକ୍ଷା କରିକରି ବହୁ ରୋଗୀ ଘରୋଇ ଚିକିତ୍ସାଳୟକୁ ଯାଉଥିବା ଜଣାପଡ଼ିଛି।
ସୁଚନା ମୁତାବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ବିଭିନ୍ନ ବିଭାଗରେ ଆବଶ୍ୟକ ଡାକ୍ତର ରହିଛନ୍ତି। ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ପାଇଁ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅଭାବ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨୦ରୁ ଅଧିକ ଡାକ୍ତର ଓ ପ୍ରଫେସର ଅଛନ୍ତି। ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ଶହ ଶହ ରୋଗୀ ଡାକ୍ତରଙ୍କ ପରାମର୍ଶ ଆସୁଛନ୍ତି। ଏଠାରେ ବିଭିନ୍ନ ବିଭାଗରେ ପ୍ରଫେସର ରହିଥିବାରୁ ଜିଲ୍ଲା ବାହାରୁ ମଧ୍ୟ ରୋଗୀମାନେ ଆସୁଛନ୍ତି। ରୋଗୀମାନେ ଗୋଟିଏ ଦିନ ପୁର୍ବରୁ ଆସି ଟିକେଟ କରୁଥିବା ଦେଖାଯାଉଛି।ରୋଗୀ ଓ ସମ୍ପର୍କୀୟମାନେ ଡ଼ାକ୍ତରଖାନା ପରିସରରେ ରହି ରାତିରେ ସମସ୍ୟା ଭୋଗୁଛନ୍ତି। ଆଗୁଆ ଟିକେଟ କରି ସକାଳୁ ଲମ୍ବା ଧାଡ଼ିରେ ଛିଡା ହେଉଛନ୍ତି।
ପ୍ରାୟ ସବୁ ବିଭାଗର ଡାକ୍ତର ସକାଳ ୯ଟାରେ ଆସିଥିବା ବେଳେ ପରାମର୍ଶ ପାଇଁ ସକାଳ ୬ଟାରୁ ଧାଡ଼ି ହେଉଛି।ସେପଟେ ରୋଗୀ ଓ ସମ୍ପର୍କୀୟମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଅନ୍ୟ ଜିଲ୍ଲାରେ ଅନଲାଇନରେ ଟିକେଟ ବ୍ୟବସ୍ଥା ହେଲାଣି।ହେଲେ ଅନୁଗୁଳରେ ଏପର୍ଯ୍ୟନ୍ତ ଅନଲାଇନ ଟିକେଟର ବ୍ୟବସ୍ଥା ହୋଇପାରି ନଥିବରୁ ସମସ୍ୟା ଦେଖା ଦେଇଛି। ଅନଲାଇନ ଟିକେଟ ବ୍ୟବସ୍ଥା ହେଲେ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡନ୍ତା ନାହିଁ। ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।
