ତାଳଚେର ବ୍ଲକ କଳମଛୁଇଁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଅନୁଗୁଳ ସହର ହୁଲୁରିସିଂହାରେ ଥିବା ବ୍ଲାକ ଡାଇମଣ୍ଡ ମ୍ୟୁଜିୟମ୍ ପରିଦର୍ଶନ କରିଥିଲେ।ଶିଶୁ ବିକାଶ ସମିତି ଓଡିଶାଙ୍କ ଭ୍ରମଣ ପରିଯୋଜନା ଅନୁଯାୟୀ ବିଦ୍ୟାଳୟର ୬୨ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା।
କଳମ ଛୁଇଁ ସରସ୍ଵତୀ ଶିଶୁ ମନ୍ଦିରର ପ୍ରଧାନାଆଚାର୍ଯ୍ୟ ଅନିଲ କୁମାର ଦେହୁରୀଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନେ ମ୍ୟୁଜିୟମ୍ ରେ ଥିବା ଅନୁଗୁଳର ମାଟି ତଳୁ ବାହାରିଥିବା ପ୍ରାଚୀନ ତାମ୍ର ଫଳକ, ବୁଦ୍ଧମୁର୍ତ୍ତି, ପ୍ରସ୍ତର ଯୁଗର ସାମଗ୍ରୀ ସହ ରାଜା, ପାଇକଙ୍କ ଦ୍ୱାରା ବ୍ୟବହୃତ ଅସ୍ତ୍ରଶାସ୍ତ୍ର ବର୍ଚ୍ଛା, ଖଣ୍ଡା, ଛୁରୀ, ଢାଲ ଆଦି ଦେଖିଥିଲେ।
ଏହା ସହିତ ଅନୁଗୁଳରେ ଇଂରେଜ ଶାସନଠାରୁ ଆରମ୍ଭ କରି ସ୍ଵାଧୀନତା ସଂଗ୍ରାମ, ପ୍ରଜାମଣ୍ଡଳ ଆନ୍ଦୋଳନ, ଅନୁଗୁଳ ଜିଲ୍ଲାର ବରପୁତ୍ରମାନଙ୍କ ତୈଳଚିତ୍ର ସହ ବିଭିନ୍ନ ସମୟର ମୁଦ୍ରା,ପୋଥି, ଲୋକ ସଂସ୍କୃତି ସମ୍ବନ୍ଧିତ ବସ୍ତୁକୁ ଦେଖି ଛାତ୍ରଛାତ୍ରୀମାନେ ଆନନ୍ଦ ପ୍ରକାଶ କରିଥିଲେ।ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଚତୁର୍ଭୁଜ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର କୋଷାଧ୍ୟକ୍ଷ ପଞ୍ଚାନନ ନନ୍ଦ ସହଯୋଗ କରିଥିଲେ
