ଖଣି ଖାଦାନ ଭରା ତାଳଚେର ସହରରେ ମାତ୍ରାଧିକ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାପାଳ ୭ଦିନିଆ କଟକଣା ଜାରୀ କରିଛନ୍ତି। ମାତ୍ର ଏହି ନିର୍ଦ୍ଦେଶ ଦ୍ୱାରା ପ୍ରଦୂଷଣ କମିବାର ନାଁ ନେଉନଥିବା ବେଳେ ସାଧାରଣ ଲୋକେ ହଇରାଣ ହେଉଥିବା ଜଣାପଡ଼ିଛି।
କଟକଣା ଅନୁଯାୟୀ ସହର ଦେଇ ଯାଇଥିବା ୧୪୯ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ୩ଥର ପାଣି ସିଞ୍ଚନ ପରେ ମଧ୍ୟ ଭାରିଯାନ ଚଳାଚଳ ଫଳରେ ପ୍ରବଳ ମାତ୍ରରେ ଧୂଳି ଉଡୁଥିବା ଦେଖିବାକୁ ମିଳିଛି।
ପାଣି ପକାଇବାର କିଛି ଘଣ୍ଟା ମଧ୍ୟରେ ଅଂଚଳପୁଣି ଧୂଳିମୟ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗଦା ହୋଇ ରହୁଥିବା କୋଇଲା ଗୁଣ୍ଡ ଉପରେ ଗାଡି ଚଳାଚଳ ହେଉଛି। ଯାଦ୍ୱାରା ଧୂଳି ଉଡିବା ସହିତ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି।
ତେଣୁ ପ୍ରଶାସନ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ୱରୁ କୋଇଲା ଗୁଣ୍ଡକୁ ଉଠାଇ ପାଣି ସିଞ୍ଚନ କରିବାକୁ ଅଞ୍ଚଳ ବାସି ନିବେଦନ କରିଛନ୍ତି।
ଅନ୍ୟପଟେ ଖଣି ପରିସରରୁ ଆସୁଥିବା ଟ୍ରକ୍ ଗୁଡିକ ଜାତୀୟ ରାଜପଥ ପ୍ରବେଶ ପୁର୍ବରୁ ଚକା ସଫା କରିବାକୁ ଦାବୀ ହେଉଛି। ଅନ୍ୟପଟେ ପୌରାଞ୍ଚଳ ପକ୍ଷରୁ ଢାବା ଓ ହୋଟେଲ୍ ସହିତ କୋଇଲା ଚୁଲାରେ ରୋଷେଇ ନକରିବାକୁ ବାରଣ କରାଯାଇଛି।
କିଛି ବ୍ୟବସାୟୀ ଏହାକୁ ଦୃଢ଼ ବିରୋଧ କରିଛନ୍ତି। ଖଣି ଖାଦାନରୁ ନିର୍ଗତ ହେଉଥିବା ଧୂଳି ଧୂଆଁକୁ ପ୍ରଶାସନ ରୋକିବାରେ ବିଫଳ ହେଉଥିବା ବେଳେ କେବଳ ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ଲଲିତା ବିଡା ସଦୃଶ୍ୟ ନିୟମ ଜାରୀ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।ଯଦି ପ୍ରଶାସନ କମ୍ପାନୀ ଓ ଶିଳ୍ପ ସଂସ୍ଥା ଉପରେ ପ୍ରଦୂଷଣର ମାତ୍ରା ଏତେ ବୃଦ୍ଧି ପାଇନଥାନ୍ତା ବୋଲି ଚର୍ଚ୍ଚା ହେଉଛି।
