ହେଉଛି ପାର୍କିଂ,ପୁଣି ଖୋଲିଲା ଉଠା ଦୋକାନ

ପୌରପାଳିକା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହୋଇଥିଲା। ଚିକିତ୍ସାଳୟ ଫାଟକ ନିକଟରେ ଭିଡ଼ ସୃଷ୍ଟି କରୁଥିବା ଉଠା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ରାସ୍ତାରେ ଗାଡ଼ି ପାର୍କିଂ ଉପରେ ମଧ୍ୟ କଟକଣା ଲଗାଯାଇଥିଲା।ତେବେ ଏହି ଉଚ୍ଛେଦ ପ୍ରକ୍ରିୟା କେବଳ ପ୍ରହସନ ପାଲଟିଥିବା ଅଭିଯୋଗ ହେଉଛି। ସେହି ରାସ୍ତାରେ ପୁଣି ଗାଡ଼ି ପାର୍କିଂ ହେବା ସହିତ ଦୋକାନ ଖୋଲାଯାଇଥିବା ଦେଖିବାକୁ ମିଳିଛି।

ସୁଚନା ମୁତାବକ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ନିକଟରେ ବହୁ ଉଠା ଦୋକାନ ରହିଥିଲା। ଦୋକାନୀମାନେ ସେଠାରେ ଜଳଖିଆ ସହିତ ଚା ଇତ୍ୟାଦି ବିକ୍ରି କରି ରାସ୍ତାକୁ ରୁନ୍ଧି ପକାଇଥିଲେ। ସଂଜୀବନୀ ମାର୍କେଟ ଡାକ୍ତଖାନା ଛକ ନିକଟରୁ ହେମସୁରପଡ଼ା ଛକ ପର୍ଯ୍ୟନ୍ତ ରାସ୍ତାର ୪ଫୁଟ୍ ପର୍ଯ୍ୟନ୍ତ ଏହି ଉଠା ଦୋକାନୀମାନେ ମାଡ଼ି ଆସିଥିଲେ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା।

ଏପରିକି ଆମ୍ବୁଲାନ୍ସ ଯିବାକୁ ମଧ୍ୟ ବିଭିନ୍ନ ସମୟରେ ବିଳମ୍ବ ହେଉଥିବା ଦେଖାଯାଇଥିଲା। ଉଠା ଦୋକାନୀଙ୍କ ସହ ରାସ୍ତା ଉପରେ ଗାଡି ପାର୍କିଂ ମଧ୍ୟ ଏକ ମୁଖ୍ୟ ସମସ୍ୟା ପାଲଟିଥିଲା। ଗାଡ଼ି ପାର୍କିଂ ଯୋଗୁଁ ବିଭିନ୍ନ ସମୟରେ ଏହି ରାସ୍ତା ଜାମ୍ ହେଉଥିଲା ସମସ୍ୟାର ସମାଧାନ ପାଇଁ ପୌର କର୍ତ୍ତୁପକ୍ଷ ଅଣ୍ଟା ଭିଡ଼ିଥିଲା। ଗତ ମାସ ୧୯ତାରିଖ ସକାଳୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରି ଡ଼ାକ୍ତରଖାନା ନିକଟରୁ ମୋଟ ୩୨ଟି ଦୋକାନକୁ ଉଠାଯାଇଥିଲା। ଡ଼ାକ୍ତରଖାନା ଛକ ରୁ ହେମସୁରପଡ଼ା ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ କୌଣସି ଉଠା ଦୋକାନ ରହିବନି ବୋଲି କର୍ତ୍ତୁପକ୍ଷ ଶୁଣାଇ ଦେଇଥିଲେ।

ସେପଟେ ଗାଡ଼ି ପାର୍କିଂ କରୁଥିବା ଲୋକଙ୍କ ଉପରେ ଜରିମାନା ଭୟ ଦେଖାଯାଇଥିଲା। ସେହି ରାସ୍ତାରେ ଗାଡ଼ି ବେଆଇନ୍ ପାର୍କିଂ କଲେ ଚାଳକମାନେ ମୋଟା ଅଙ୍କର ଦଣ୍ଡ ଗଣିବେ ବୋଲି ସତର୍କ କରାଯାଇଥିଲା।

ତେବେ ଉଚ୍ଛେଦର କିଛି ଦିନ ଲୋକମାନେ ନିୟମ ମାନିଥିବା ବେଳେ ଏବେ ପୁଣି ସମାନ ଅବସ୍ଥା ହୋଇଛି। ଡାକ୍ତଖାନା ରାସ୍ତାରେ ବେଆଇନ ପାର୍କିଂ ହେଉଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଉଠା ଦୋକାନୀମାନେ ପୌର କର୍ତ୍ତୁପକ୍ଷଙ୍କ ନିୟମକୁ ମନୁନାହାନ୍ତି। ଡ଼ାକ୍ତରଖାନା ଫାଟକ ନିକଟରୁ ସେମାନଙ୍କୁ ଉଠାଇ ଦିଆଯାଇଥିବା ବେଳେ ହେମସୁରପଡ଼ା ରାସ୍ତାରେ ସେମାନେ ପୁଣି ଦୋକାନ ଖୋଲିଲାନୀ।ତେବେ ୨୦ଦିନ ପୁର୍ବରୁ ଏହି ଉଚ୍ଛେଦ କେବଳ ପ୍ରହସନ ପାଲଟିଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି

Leave a Reply