ଅନୁଗୁଳ ଜିଲ୍ଲା ପାଳଲହଡ଼ାରେ ମଧ୍ୟାହ୍ନ ଭୋଜନରେ ଅଚଳାବସ୍ଥା । ବିଦ୍ୟାଳୟରେ ରୋଷେଇ କରିବାକୁ ଚାଉଳ ନାହିଁ । ପିଲା ସ୍କୁଲ୍ ଆସି ନଖାଇ ଫେରୁଛନ୍ତି । ୧୫ ଦିନ ହେବ ଏହି ଅଚଳାବସ୍ଥା ଲାଗିରହିଥିବା ବେଳେ ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ କହୁଛନ୍ତି, ଘରୁ ଆଣି ରୋଷେଇ କରି ମଧ୍ୟାହ୍ନ ଭୋଜନ ଦିଆଯାଉ ।
ଅନୁଗୁଳ ଜିଲ୍ଲା ପାଳଲହଡ଼ାରେ ମଧ୍ୟାହ୍ନ ଭୋଜନରେ ଦେଖିବାକୁ ମିଳିଛି ଅନିୟମିତତା । ଚଷାଗୁରୁଜାଙ୍ଗ ପଞ୍ଚାୟତ ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଉଳ ନଥିବାରୁ ବନ୍ଦ ହୋଇଯାଇଛି ରୋଷେଇ । ଫଳରେ ମଧ୍ୟାହ୍ନ ଭୋଜନ ଖାଇବାକୁ ବଞ୍ଚିତ ହୋଇଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀର ୭୨ ଜଣ ଛାତ୍ରଛାତ୍ରୀ ଏବଂ ଖାଇବାକୁ ନଥିବାରୁ ସମୟ ପୂର୍ବରୁ ଛୁଟି ହୋଇଯାଇଛି ସ୍କୁଲ ।
ପାଳଲହଡ଼ାଡାର ୨୪୧ଟି ବିଦ୍ୟାଳୟରେ ପାଖାପାଖି ୧୫ ଦିନ ହେବ ମଧ୍ୟାହ୍ନ ଭୋଜନରେ ଅଚଳାବସ୍ଥା ଲାଗିରହିଛି । ୨୩ଟି ସ୍କୁଲରେ ଚାଉଳ ନାହିଁ । ୧୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବାରେ ଅସୁବିଧା ଭୋଗୁଛନ୍ତି । କେଉଁଠି ଧାର ଉଧାରରେ ଚାଲିଛି ରୋଷେଇ, କେତେକ ସ୍କୁଲରେ ରୋଷେଇ ବନ୍ଦ ହୋଇଗଲାଣି । ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ କହୁଛନ୍ତି, ଘରୁ ଆଣି ରୋଷେଇ କରି ମଧ୍ୟାହ୍ନ ଭୋଜନ ଦିଆଯାଉ ।
ପିଲାଙ୍କ ଖାଦ୍ୟ ଯୋଗାଣକୁ ନେଇ ଅବ୍ୟବସ୍ଥା କାହିଁକି ? ଯଦି ଚାଉଳ ମିଳୁନି, ବିକଳ୍ପ ବ୍ୟବସ୍ଥା କାହିଁକି କରାଯାଉନି ? ସ୍କୁଲ୍ ଆସି ପିଲା ଉପାସ ରହିବା କେତେ ଦୂର ଠିକ୍ ? ଏହା ପ୍ରଶାସନର ଦାୟିତ୍ୱହୀନତା ନୁହେଁ ତ’ ଆଉ କ’ଣ ? କାହା ଉପରେ କାର୍ଯ୍ୟାନୁଷ୍ଠାନ ନେବ ଶିକ୍ଷା ବିଭାଗ ? ଖବର ପ୍ରସାରଣ ପରେ ଜିଲ୍ଲାପାଳ ଉତ୍ତରଦାୟୀ ହେବେ ତ ?
