କିଲୋ ପ୍ରତି ୩୦୦ ଟଙ୍କା ଜାମୁ କୋଳି

ଅନୁଗୋଳ ଜିଲ୍ଲାରେ କମୁଛି ଜମୁ ଗଛ। ଦିନେ ରାସ୍ତା କଡ଼ରେ ଥିବା ଜାମୁ ଗଛ ଆଉ ଦେଖି ବାକୁ ମିଳୁନାହିଁ। ସେହିପରି ଗ୍ରାମାଞ୍ଚଳରେ ଥିବା ଗଛ ଗୁଡିକରେ ଏବେ ବୟସ୍କ ହୋଇପଡ଼ିଥିବାରୁ ସେଥିରେ ଫଳ ଆସୁନାହିଁ। ସେପଟେ ଜଙ୍ଗଲ କ୍ଷୟ, ଅନିୟନ୍ତ୍ରିତ ଜନବସତି, ବୃକ୍ଷ କଟା ଆଦି ପାଇଁ ଜାମୁ ଗଛ ହ୍ରାସ ପାଉଥିବା କୁହାଯାଉଛି। ଏବେ ସହରରେ ଜାମୁ କୋଳି କିଲୋ ୨୫୦ରୁ ୩୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଆଉ କିଛି ବର୍ଷ ପରେ ଏହି କୋଳି ଆଉ ମିଳିବ କି ନାହିଁ ସେନେଇ ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କରିଛନ୍ତି

ସୂଚନା ମୁତାବକ ଅନୁଗୋଳରେ ଜାମୁ କୋଳିର ଚାହିଦା ଅନୁସାରେ ତାହା ଆଉ ମିଳିନାହିଁ। ଏହି କୋଳିର ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ ରହିଥିବା ବେଳେ ଲୋକମାନେ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ପୁର୍ବ ଭଳି ଆଉ ଏକ କୋଳି ସବୁଠି ମିଳୁନଥିବା ଦେଖିବାକୁ ମିଳୁଛି। ଶିଳ୍ପାୟନ ସାଙ୍ଗକୁ ବିଲ୍ଡିଂ ନିର୍ମାଣ ପାଇଁ ହଜାର ହଜାର ସଂଖ୍ୟାରେ ଜାମୁ ଗଛ ଗତ ୧୦ ବର୍ଷ ହେଲା ବଳି ପଡ଼ିଛି। ଗାଁ ର ଆଖପାଖ ସ୍ଥାନରେ ଶହ ଶହ ସଂଖ୍ୟାରେ ଜାମୁ ଗଛ ପୁର୍ବରୁ ରହିଥିବା ବେଳେ ସେଗୁଡ଼ିକ ଏବେ ଆଉ ନାହିଁ। ବିଭିନ୍ନ କାରଣ ପାଇଁ ସେଗୁଡ଼ିକ ଏବେ ନିଶ୍ଚିହ୍ନ ହୋଇପଡ଼ିଛି। ପୁର୍ବରୁ ଥିବା ଗଛ ଗୁଡିକ ରୁ ଏବେ ଆଉ ଫଳ ହେଉନାହିଁ। ଏଥିପାଇଁ କିଛିମାତ୍ର ରେ ଜଳବାୟୁ ପ୍ରଭାବକୁ ପରିବେଶବିତ୍ମାନେ ଦାୟୀ କରିଛନ୍ତି।

ଅନିୟମିତତା ବର୍ଷା, ଭୂତଳ ଜଳସ୍ତର କମିବା, ଅସନ୍ତୁଳିତ ଖରାକୁ ଏଥିପାଇଁ ଦାୟୀ କରାଯାଉଛି। ବିଭିନ୍ନ କାରଣରୁ ଜାମୁ ଗଛ ନଷ୍ଟ ହେଉଥିବା ବେଳେ ନୂଆ ବୃକ୍ଷରୋପଣ ପାଇଁ ଆଗ୍ରହ ଦେଖାଯାଉନାହିଁ। ଲୋକମାନେ ଆମ୍ବ, ପଣସ, ପିଜୁଳି, ଲେମ୍ବୁ ଇତ୍ୟାଦି ଗଛକୁ ଗୁରୁତ୍ୱ ଦେଉନାହାନ୍ତି।

ସେପଟେ ବନ ବିଭାଗ ପକ୍ଷରୁ ବୃ୍ଷରୋପଣରେ ଶାଗୁଆନ,ଶିଶୁ, ଗମ୍ଭାରୀ, କରଞ୍ଜ, ନିମ୍ବ, ଚାମୁଣ୍ଡା,ବହାଦଟ, ଶୋରସିଆ ଇତ୍ୟାଦି ଚାରାକୁ ସାମିଲ କରାଯାଉଅଛି। କିନ୍ତୁ ହ୍ରାସ ପାଉଥିବା ଜାମୁ ଗଛ ରୋପଣ ପାଇଁ ସେଭଳି କୌଣସି ଉଦ୍ୟମ କରାଯାଉନାହିଁ। ଜାମୁ କୋଳିରେ ଭରପୂର ଔଷଧୀୟ ଗୁଣ ରହିଛି।

ଏଥିରେ ଭିଟାମିନ,ଆଇରନ, କ୍ୟାଲସିୟମ, ପୋଟାସିୟମ ପ୍ରଚୁର ପରିମାଣରେ ଥାଏ। ଜାମୁ କୋଳି ମଧୁମେହ ନିୟନ୍ତ୍ରଣ, ରକ୍ତ ସଫା କରିବା, ହଜମ କ୍ରିୟାରେ ସହାୟକ ହୋଇଥାଏ।

ଆବଶ୍ୟକତା ଥିବା ଏହି କୋଳି ଏବେ ଆଉ ପ୍ରଚୁର ପରିମାଣରେ ମିଳୁନଥିବାରୁ ବଜାରରେ କିଲୋ ପିଛା ୩୦୦ ଟଙ୍କା ଦେଇ ଜାମୁ କିଣି ଖାଉଛନ୍ତି। ଏ ସମ୍ପର୍କ ରେ ପରିବେଶବିତ୍ ବେହେରା କହିଛନ୍ତି ଯେ ଜାମୁ ଗଛ ଜୈବ ବିବିଧତା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମଣିଷ ସହ ପକ୍ଷୀମାନେ ମଧ୍ୟ ଏହି ଗଛରୁ ଲାଭ ପାଉଛନ୍ତି। ଗଛ କଟା ହେଇଥିବା ବେଳେ ଜାମୁ ଗଛର ବ୍ୟାପକ ବୃ୍ଷରୋପଣ ହେଲେ ଯାଇ ସମସ୍ୟାର ସମାଧାନ ହୋଇପାରିବ ବୋଲି ଶ୍ରୀ ବେହେରା କହିଛନ୍ତି। ଏଥିପାଇଁ ସାଧାରଣ ଲୋକଙ୍କ ଠାରୁ ସରକାରୀ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ରହିଛି

Leave a Reply