ଶାସକ – ବିରୋଧୀ ମଧ୍ୟରେ ଚାଲିଛି ଛକାପଞ୍ଝା। ଏଥି ଯୋଗୁଁ ବଅଁରପାଳ ବ୍ଲକରେ ଅନେକ ଅଧାଗଢ଼ା ପ୍ରକଳ୍ପ ଆଗେଇ ପାରୁନାହିଁ।ବିଜେଡି ସରକାର ସମୟରେ ବ୍ଲକରେ ବିଭିନ୍ନ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ବିଜେପି କ୍ଷମତାକୁ ଆସିବା ପରେ ଶାସକ – ବିରୋଧି ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ପ୍ରତି କାମରେ ରାଜନୀତି ପଶୁଛି। ତେଣୁ ଉନ୍ନୟନ କାମ ହୋଇ ପାରୁ ନଥିବା ଜଣା ପଡ଼ିଛି। ନୁଆହତ ପଂଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା। ଏହାରି ମଧ୍ୟରେ ସାଢ଼େ ୩ବର୍ଷ ବିତି ଯାଇଥିଲେ ମଧ୍ୟ କଲ୍ୟାଣ ମଣ୍ଡପର ଛାତ ପଡ଼ିପାରୀ ନାହିଁ।
ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅନୁଦାନରେ ଗୋତମରା ପଂଚାୟତରେ ଆରମ୍ଭ ହୋଇଥିବା କଲ୍ୟାଣୀ ମଣ୍ଡପ ମଧ୍ୟ ଅଧାଗଢ଼ା ଅବସ୍ଥାରେ ରହିଛି। କାମ ଶେଷ ହେଉ ନଥିବା ବେଳେ ଇଟା କାନ୍ଥ ଭୁଶୁଡ଼ି ପଡ଼ିଲାଣି। ଠିକାଦାର ମିଳୁ ନଥିବାରୁ କାମ ଶେଷ ହୋଇପାରୁନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ବି ପ୍ରକୃତ ପକ୍ଷେ ଏହା ଭିତରେ ରାଜନୀତି କେଁ ରହିଥିବା ଜଣାପଡିଛି। ସେହିପରି ବୁଢ଼ାପଙ୍କ ପଞ୍ଚାୟତ ଷ୍ଟାଡିୟମ୍ ବୁଢାପଙ୍କ ରେଲୱେ ଷ୍ଟେସନ୍ ଶାଳବଣୀ ପଡ଼ିଆରେ କଲ୍ୟାଣ ମଣ୍ଡପ ଅଧାଗଢ଼ା ଅବସ୍ଥାରେ ରହିଛି। ଶୁଭ ଦେବାର ୪ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ସୁଦ୍ଧା ଛାତ ପଡ଼ିନାହିଁ।
ଏଭଳି ଅନେକ ପ୍ରକଳ୍ପ ବଅଁରପାଳ ବ୍ଲକରେ ଅଧାଗଢ଼ା ଅବସ୍ଥାରେ ରହିଛି। ଏସବୁ କାମ ତୁରନ୍ତ ଶେଷ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।
