ତାଳଚେର ବ୍ଲକ କର୍ଣ୍ଣପୁର ପଞ୍ଚାଯତର ଶେଷ ଭାଗରେ ଥିବା ନଟରାଜ କମ୍ପାନୀ ଦେଇ ନାତିଡି ଗାଁ କୁ ଜଙ୍ଗଲ ମଝିରେ ଏକ ମାଟି ରାସ୍ତା ରହିଥିଲା। ଏହି ରାସ୍ତାକୁ ଚଳିତ ବର୍ଷ କଂକ୍ରିଟ କରିବାକୁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଉକ୍ତ ରାସ୍ତା ନିର୍ମାଣ ପାଇଁ କୌଣସି ଅନୁମତି ମିଳି ନଥିଲେ ମଧ୍ୟ କଂକ୍ରିଟ କାମ ଆରମ୍ଭ ହୋଇଥିବା ଜଣା ପଡ଼ିଛି।
ସୁଚନା ମୁତାବକ, କର୍ଣ୍ଣପୁରରୁ ନାତିଡିକୁ ସଂଯୋଗ କରୁଥିବା ଜଙ୍ଗଲ ମଧ୍ୟରେ ଏକ ରାସ୍ତା ନିର୍ମାଣ ପାଇଁ ଉଭୟ ଗ୍ରାମବାସୀ ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଦାବି କରି ଆସୁଥିଲେ । ଏନେଇ ଚଳିତ ବର୍ଷ ଜିଲ୍ଲା ଖଣିଜ ପାଣ୍ଠିରୁ ୯ଲକ୍ଷ ୫୦ହଜାର ଟଙ୍କାରେ ରାସ୍ତା ନିର୍ମାଣ ପାଇଁ କାଗଜ ପତ୍ର ଚାଲିଛି।ହେଲେ ରାସ୍ତା ନିର୍ମାଣ ପାଇଁ ତାଳଚେର ବିଡିଓ କୌଣସି ୱାର୍କ ଅର୍ଡର ଦେଇ ନଥିବା ବେଳେ ଠିକାଦାର ରାସ୍ତା କାମ ଆରମ୍ଭ କରି ଦେଇଛନ୍ତି। ଫଳରେ ନିମ୍ନମାନର କାମ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ନିର୍ମାଣରେ ଯେଉଁ ପରିମାଣର ବାଲି, ଚିପ୍ସ ଅ ମେଟାଲ ବ୍ୟବହାର କରାଯିବ କଥା ତାହା କରାଯାଉ ନାହିଁ। ମାଟି ଉପରେ ସିଧା ସଳଖ କଂକ୍ରିଟ କାମ କରାଯାଉଅଛି। ଆଗକୁ ଉକ୍ତ ରାସ୍ତାର ସ୍ଥାୟୀତ୍ଵକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ନିୟମ ଅନୁଯାୟୀ ବ୍ଲକ ଦ୍ଵାରା କୌଣସି ରାସ୍ତା ନିର୍ମାଣ ପୁର୍ବରୁ ପ୍ରଥମେ ସମ୍ଭାବ୍ୟତା ପରୀକ୍ଷା କରାଯାଇଥାଏ। ଏହାର ରିପୋର୍ଟ ଆସିବା ପରେ ଯନ୍ତ୍ରୀ ରାସ୍ତାର ତଦାରଖ କରିଥାନ୍ତି।କିନ୍ତୁ ଉକ୍ତ ରାସ୍ତା ନିର୍ମାଣ ପାଇଁ କୌଣସି ଫିଯିବିଲିଟ ରିପୋର୍ଟ ଆସି ନଥିବା ଜଣା ପଡ଼ିଛି।
ଜିଲ୍ଲା ଖଣିଜ ପାଣ୍ଠି ରୁ ନିର୍ମାଣ ହେବାକୁ ଥିବା ଉକ୍ତ ରାସ୍ତା ପାଇଁ ଯନ୍ତ୍ରୀ ତାଙ୍କ ହିସାବରେ ଠିକାଦାରଙ୍କୁ ଆଗୁଆ କାମ ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଜିଲ୍ଲା ଖଣିଜ ପାଣ୍ଠିର ଅପବ୍ୟବହାର ହେଉଥିବା ଅଭିଯୋଗ ହେଉଛି।
ଏନେଇ ତାଳଚେର ବିଡ଼ିଓ ସୁଶାନ୍ତ କୁମାର ବାରାଲଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ରାସ୍ତା କାମ ହେବାକୁ ଜିଲ୍ଲା ଖଣିଜ ପାଣ୍ଠିରୁ ଫିଯିବିଲିଟି ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ରାସ୍ତା ନିର୍ମାଣ ପାଇଁ ୱାର୍କ୍ ଅର୍ଡର ବାହାରିବା ବୋଲି କହିଛନ୍ତି। ତେବେ ବର୍ତମାନ ଏହି ରାସ୍ତା କିଏ ନିର୍ମାଣ କରୁଛି ସେ ନେଇ କୌଣସି ଖବର ନଥିବା କହିଛନ୍ତି।
