ରାଜପଥ ସମ୍ପ୍ରସାରଣ, ପାଉଁଶ ଟ୍ରକ୍ ଚଳାଚଳ ବନ୍ଦ ଦାବି

ଜାତୀୟ ରାଜପଥ ସମ୍ପ୍ରସାରଣ, ପାଉଁଶ ବୋଝେଇ ଟ୍ରକ୍ ଚଳାଚଳ ବନ୍ଦ ଦାବି ସହ କଣିହାଁ ବ୍ଲକ୍ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ତାଳଚେର – କଣିହାଁ ବିକାଶ ମଞ୍ଚ ପକ୍ଷରୁ ଏନଟିପିସି ଏମଜିଆର ନିକଟ ଲେବୁଲ କ୍ରସିଂଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

କଣିହାଁ ବ୍ଲକ ସଦର ମହକୁମାଠାରୁ ଗୋଡ଼ିବନ୍ଧ ୫୩ ନମ୍ବର ଜାତୀୟ ରାଜପଥକୁ ସମ୍ପ୍ରସାରଣ କରିବା, ପ୍ରତିଦିନ ଚଳାଚଳ କରୁଥିବା ଶହଶହ ପାଉଁଶ ବୋଝେଇ ଟ୍ରକ୍ ଚଳାଚଳ ବନ୍ଦ କରିବା, ରାସ୍ତାରେ ପଡ଼ୁଥିବା ପାଉଁଶ ଗୁଣ୍ଡ ସଫା କରିବା, ରାସ୍ତାର ଉଭୟ ପାର୍ଶ୍ବରେ ଆଲୋକିକରଣ ବ୍ୟବସ୍ଥା, ବାୟୁ ପ୍ରଦୂଷଣକୁ ସମ୍ପୂର୍ଣ୍ଣ ରୋକିବା, ରାସ୍ତାରେ ବୃକ୍ଷ ରୋପଣ କରିବା, ଏନଟିପିସି ଓଭରବ୍ରିଜ ଠାରୁ ବାରଡ଼ାଙ୍ଗୁଆ ଗାଁ ଦେଇ ବଲାଙ୍ଗି, କଅଁର, ଆମ୍ବତୋଟା ଓ ସମଲ ପର୍ଯ୍ୟନ୍ତ ଥିବା ପୁରୁଣା ଆରଡି ରାସ୍ତାକୁ ତୁରନ୍ତ ନିର୍ମାଣ କରିବା ଦାବୀରେ ବିକାଶ ମଂଚର ସଭାପତି ଦେବେନ୍ଦ୍ର ସିଂହ ଓ ସମ୍ପାଦିକା ସବିତା ସାହୁଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ହରମୋନ ସାହୁ, ରାଜେନ୍ଦ୍ର ସାହୁ, କଳାକର ବେହେର, ସ୍ମୃତି ରଞ୍ଜନ ପାଣି, ଦୁଷ୍ମନ୍ତ ବେହେରାଙ୍କ ସମେତ ୯ନମ୍ବର ଜୋନ୍ ଜିଲ୍ଲା ପରିଷଦ କ୍ଷେତ୍ର ଅଧୀନରେ ଶତାଧିକ ପୁରୁଷ ଓ ମହିଳାମାନେ ଏଥିରେ ସାମିଲ ହୋଇଥିଲେ।ଖବର ପାଇ ତହସିଲଦାର ଚିନ୍ମୟ ଦାସ ଓ କଣିହାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଦାବୀ ଗୁଡ଼ିକ ସମାଧାନ ନିମଣ୍ଟେ ଜିଲ୍ଲପାଳଙ୍କୁ ଅବଗତ କରାଯିବା ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Leave a Reply