ଲଗାତାର ୩ଦିନ ପାଇଁ ଅନୁଗୁଳରେ ବାୟୁ ମାନ ସୁଚକାଙ୍କ ୩ଶହ ଉପରେ।ଦିନକୁ ଦିନ ବାୟୁର ମାନ ଖରାପ ହୋଇ ଚାଲିଛି।ପୁଣି ତାଳଚେରରେ ଗତ କାଲି ରେକର୍ଡ଼ ଏକ୍ୟୁଆଇ ୩୪୬ରେ ପହଞ୍ଚିଛି। ସ୍ଥିତି କେମିତି ସୁଧୁରିବ ସେନେଇ କାହାରି ନଜର ନାହିଁ। ବରଂ ଅନୁଗୁଳବାସୀଙ୍କୁ ବିପଦ ମୁହଁରେ ଛାଡି ଦେଇ ସମସ୍ତେ ଚୁପ୍।ପାଗରେ ସୁଧାର ଆସିଲେ ପ୍ରଦୂଷଣ କମିବ ବୋଲି ଅପେକ୍ଷା କରି ବସିଛି ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ।
ଏପଟେ ପ୍ରଦୂଷଣ ସମସ୍ୟା ଉତ୍କଟ ହେଉଥିଲେ ମଧ୍ୟ ନାଗରିକ ସମାଜ ନୀରବ। ଅନୁଗୁଳରେ ଗତକାଲି ହାରାହାରି ଏକ୍ୟୁଆଇ ୩୧୭ରହିଛି।ଏପରିକି ବେଳେବେଳେ ଏକ୍ୟୁଆଇ ୩୫୦ପାଖାପାଖି ହୋଇଯାଇଛି। ବାୟୁ ମଣ୍ଡଳରେ ପିଏମ୍ ୨.୫ମାତ୍ରା ଅଧିକ ରହିଛି। ଏହା ସର୍ବାଧିକ ୪୭୭ଛୁଇଁଥିଲା।
ସେହିପରି ପିଏମ୍ ୧୦ମାତ୍ରା ସର୍ବାଧିକ ୪୦୮ରହିଛି। କଳ କାରଖାନା ଓ ଧୂଳି ଧୁଆଁ ପାଇଁ ଅନ୍ୟାନ୍ୟ ବିଷାକ୍ତ ଉପାଦାନ ବି ବାୟୁ ମଣ୍ଡଳରେ ଭର୍ତ୍ତି ହୋଇଛି। ଏହି କ୍ଷୁଦ୍ର ବିଷାକ୍ତ ଧୂଳି କଣା ବାୟୁ ମଣ୍ଡଳରେ ଥିବାରୁ ଲୋକମାନେ ପ୍ରଶ୍ୱାସରେ ବିଷ ଟାଣୁଛନ୍ତି। ଏହି ପ୍ରକାର ବାୟୁକୁ ପ୍ରଦୂଷଣ ବିଭାଗ ଅତି ଦୁର୍ବଳ ସ୍ତର ବୋଲି କହିବା ସହ ଏଥିପାଇଁ ଅନେକ ରୋଗ ହୋଇପାରେ ବୋଲି ସତର୍କ କରାଇ ଦେଇଛି।ଅଧିକ ସମୟ ପାଇଁ ଏହି ବାୟୁ ସଂସ୍ପର୍ଶରେ ଆସିଲେ ଶ୍ୱାସକ୍ରିୟା ଜନିତ ରୋଗ ହେବା ସହ ଫୁସଫୁସ୍ ପ୍ରଭାବିତ ହେବା।ହେଲେ ଲୋକମାନେ ୨୪ଘଣ୍ଟା ଏହି ବିଷାକ୍ତ ପବନ ନେଉଛନ୍ତି।ପୁଣି ଗତ ୩ଦିନ ହେଲାଣି।
୨୧ତାରିଖରେ ଅନୁଗୁଳରେ ଏକ୍ୟୁଆଇ ୨୧୮ରହିଥିଲାବେଳେ ୨୨ତାରିଖରେ ୩୨୧ରହିଥିଲା। ଏହା ପୂର୍ବରୁ ୧୮ତାରିଖରେ ଏକ୍ୟୁଆଇ ପାଖାପାଖି ୩ଶହ ପାଖାପାଖି ରହୁଥିଲା। ଅନୁଗୁଳ ତୁଳନାରେ ତାଳଚେରରେ ସ୍ଥିତି ସାମାନ୍ୟ ଭଲ ଥିଲେ ମଧ୍ୟ ଗତକାଲି ସ୍ଥିତି ବିଗିଡିଛି। ଏଠାରେ ଏକ୍ୟୁଆଇ ୩୪୬ରେ ପହଞ୍ଚିଲାଣି। ନୂଆଦିଲ୍ଲୀ ପରି ସ୍ଥିତି ସୃଷ୍ଟି ହୋଇଛି।ଗତକାଲି ଏଠାରେ ଏକ୍ୟୁଆଇ ୩୩୧ରହିଥିଲା ବେଳେ ଆଜି ପ୍ରଦୂଷଣ ମାତ୍ର ବଢ଼ିଛି।
ପ୍ରାୟ ସପ୍ତାହେ ହେଲାଣି ଅନୁଗୁଳ ପବନରେ ବିଷ ଭରି ଯାଇଥିଲେ ମଧ୍ୟ ଏହା ରୋକିବା ଦିଗରେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନି। ହଠାତ୍ ପ୍ରଦୂଷଣ ଉପରମୁହାଁ ପଛର କାରଣ ବି ଦେଖା ଯାଉନି। ବରଂ ପ୍ରକୃତି ଉପରେ ଭରସା କରି ଲୋକଙ୍କୁ ଏମିତି ବିଷ ବଳୟରେ ରହିବାକୁ ଛାଡି ଦିଆଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୁଳ ଶାଖାର ଆଞ୍ଚଳିକ ଅଧିକାରୀ ରମେଶ ଏକ୍କା କହିଛନ୍ତି କୁହୁଡ଼ିଆ ପାଗ ପାଇଁ ବାୟୁ ମଣ୍ଡଳରେ ଥିବା ଧୂଳିକଣା ଉପରକୁ ଯାଇ ପାରୁନି। ଏହି ଧୂଳି ଓ ଧୂଆଁ ମିଶି ଏକ ଆସ୍ତରଣ ସୃଷ୍ଟି ହୋଇଛି। ଟାଣ ଖରା ହେଲେ ପବନର ମାନରେ ସୁଧାର ଆସିବ।
ତେବେ ପ୍ରଦୂଷଣ କମାଇବା ପାଇଁ ଟ୍ରକ୍ରେ ପାଲ ଭିଡି କୋଇଲା ପରିବହନ କରିବାକୁ ଚିଠି କରାଯାଇଛି।ସେହିପରି ରେଳ ୱାଗନରେ ମଧ୍ୟ କୋଇଲା ପରିବହନ ବେଳେ ପାଲ ଭିଡିବାକୁ କୁହାଯାଇଛି। ଏପଟେ ବିଭିନ୍ନ ଢାବା ଓ ହୋଟେଲ ରେ କୋଇଲା ଜାଳିବା ଉପରେ କଟକଣା ଲଗାଇବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି।
ବାୟୁ ପ୍ରଦୂଷଣରେ ସାରା ରାଜ୍ୟରେ କେବଳ ତାଳଚେର ଓ ଅନୁଗୁଳ ସହର ରେଡ୍ ଜୋନରେ ରହିଛି। ଉଭୟ ସହରରେ ଏକ୍ୟୁଆଇ ୩ଶହ ଉପରେ ରହୁଥିଲେ ମଧ୍ୟ ଏନେଇ ପ୍ରଶାସନ ଯେମିତି ତତ୍ପର ହେବା କଥା ଦେଖିବାକୁ ମିଳିନି।ଏନେଇ ସମାଜସେବୀ ପର୍ଶୁରାମ ଦାସ କହିଛନ୍ତି, ପ୍ରଶାସନ ଓ ପ୍ରଦୂଷଣ ବିଭାଗ ଅନୁଗୁଳବାସିଙ୍କୁ ଜାଣିଶୁଣି ଏମିତି ବିପଦ ମୁହଁରେ ଛାଡି ଦେଇଛି।
ପ୍ରଦୂଷଣ କମାଇବା ଦିଗରେ କୌଣସି ପଦକ୍ଷେପ ନିଆଯାଉନି। ପ୍ରଶାସନ ଏବେ ଠାରୁ ସତର୍କ ନ ହେଲେ ଏହାର ଉଚିତ୍ ଜବାବ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
