ରବିପୁର ପରେ ରାକଶ ଜଙ୍ଗଲରେ ବି ଫିଙ୍ଗା ପଡ଼ିଛି ଚାରା

ଚାରା ରୋପଣ ନାଁ ରେ ହୋଇଛି ଚଞ୍ଚକତା। କାଗଜ କଲମରେ ଚାରାରୋପଣ କରାଯାଇଥିବା ଦର୍ଶାଇଯାଇଥିବାବେଳେ ବାସ୍ତବରେ ତାହା ଦୃଷ୍ଟି ଗୋଚର ହୋଇନି। ବରଂ ଚାରାକୁ ଏଣେତେଣେ ଫିଙ୍ଗି ତାକୁ ବିଲ କରାଯାଇଥିବା ଅଭିଯୋଗ ହୋଇଛି।ପୂର୍ବରେ ରବିପୁର ଜଙ୍ଗଲରେ ଏପରି ଚାରା ଫିଙ୍ଗା ଯାଇଥିବା ବେଳେ ଏବେ ରାକଶ ସଂରକ୍ଷିତ ଜଙ୍ଗଲରେ ଲକ୍ଷାଧିକ ଚାରା ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଅନିୟମିତତା କରିଥିବା ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ମିଳିଥିବା ସୁଚନା ଅନୁଯାୟୀ ତାଳଚେର ରେଞ୍ଜ ଡେରା ଫରେଷ୍ଟ ଅଧୀନରେ ଥିବା ରାକଶ ସଂରକ୍ଷିତ ଜଙ୍ଗଲରେ ଗତ ୩୦୨୩-୨୪ ମସିହାରେ ୩୦ ହଜାର ଚାରା ଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ନିଷ୍ପତି ହୋଇଥିଲା।

ତେବେ ଏହି ଜଙ୍ଗଲରେ ନିମ୍ବ ୧୫ଶହ, କରଞ୍ଜ ୧୫ଶହ, ଫାସୀ ୨ହାଜର,ଜମ୍ବୁ ୧୫ଶହ, ଗମ୍ଭାରୀ ୧୫ ଶହ, ଆତ ୧୫ଶହ, ଆମ୍ବଡା ୧୫ଶହ, କଇଁଥ ୧୫ଶହ, ବେଲ ୫ଶହ, ଆମ୍ବ ୧ହଜାର ୫ଶହ ଗଛ ଲାଗିଥିବା ନେଇ କାଗଜ କଲମରେ ଲେଖା ରହିଛି।ହେଲେ ବନ ବିଭାଗ ୫ଶହ ଗଛ ଚାରା ରୋପଣ କରିଥିବା ବେଳେ ଅବଶିଂଷ୍ଟ ଚାରା ଏଣେତେଣେ ବୁଦା ମୂଳରେ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଛି।

ତେବେ କିଛି ଅସାଧୁ କର୍ମଚାରୀ ଏଭଳି ଚଞ୍ଚକତା କରି ମିଥ୍ୟା ବିଲ୍ ଦେଖାଇ ଚାରା ରୋପଣ ନାଁ ରେ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଚାରା ବଞ୍ଚିବା ପାଇଁ ସୁରକ୍ଷା ବାଡ ବିଭାଗ ପକ୍ଷରୁ ଦିଆଯାଇଥିଲା।

ତେବେ ସୁରକ୍ଷା ବାଡ ଯେତିକି ପରିମାଣରେ ଲାଗିବା କଥା ସେତିକି ନଲାଗାଇ ଅଳ୍ପ କିଛି ଲଗାଯାଇଥିବା ରାକଶ ଗ୍ରାମର ନାରାୟଣ ପ୍ରଧାନ କହିଛନ୍ତି ।ସେ କହିଛନ୍ତି ଯେ ରାକଶ ଗ୍ରାମ ଶ୍ମଶାନ ଜଙ୍ଗଲ ପାଖରେ ରହିଥିବାରୁ ସେଠାରୁ ମଧ୍ୟ ପ୍ରାୟ ୧୦ହଜାର ହେକ୍ଟର ଅଞ୍ଚଳରେ ଚାରା ଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହେଲେ ସେଠାରେ ମାତ୍ର ଶହେ କି ୨ଶହ ଗଛ ଲଗାଇ ବଳକା ଗଛକୁ ଫିଙ୍ଗି ଦିଆଯାଇଥିଲା। ଉକ୍ତ ଚାରା ଗୁଡ଼ିକ ଖରାରେ ମରି ଯାଇଛି। ଉକ୍ତ ଶ୍ମଶାନ ଚାରି ପାଖରେ ତାରା ବାଡ ଦେବାର ବ୍ୟବସ୍ଥା ରହିଥିଲା। କିନ୍ତୁ ଗଛ ଲଗାଇବା ପରେ ମଧ୍ୟ ତାରା ବାଡ ଲାଗିଗଲା। ହେଲେ ମାତ୍ର ୨୦ଦିନ ପରେ ଉକ୍ତ ଖୁଣ୍ଟ ସହିତ ତାରାବାଡ କୁ ପୁନର୍ବାର ଜଙ୍ଗଲ ବିଭାଗ ସେଠାରୁ ନେଇ ଯାଇଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏ ନେଇ ତାଳଚେର ରେଞ୍ଜ ଅଧିକାରୀ ଚାରୁଲତା ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ରାକଶ ଜଙ୍ଗଲରେ ଚାରା ନଲଗେଇ ଫିଙ୍ଗା ଦିଆଯାଇଥିବା ଅଭିଯୋଗ ମୋ ପାଖକୁ ଆସିଛି। ଆଉ ଏହାକୁ ନେଇ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

Leave a Reply