ଅନୁଗୁଳରେ ବୋମା ଖାଇ ଏକ ଅଣ୍ଡିରା ହାତୀର ଜୀବନ ଯିବା ପରେ ଆକ୍ସନ ମୁଡକୁ ଆସିଛି ବନ ବିଭାଗ। ଜଙ୍ଗଲକୁ ଶିକାରୀମୁକ୍ତ କରିବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଅନୁଗୁଳ ବନମଣ୍ଡଳର ପକ୍ଷରୁ ଆରମ୍ଭ ହୋଉଛି ‘ ଜୀବେ ଦୟା ‘ କମ୍ବିଂ ଅପରେସନ। ଅନୁଗୁଳ ବନ ମଣ୍ଡଳର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ସଞ୍ଜୟ କୁମାର ସ୍ବାଇଁ କହିଛନ୍ତି, ଅନୁଗୁଳ ବନମଣ୍ଡଳ କୁ ବନ୍ୟଜନ୍ତୁଙ୍କ ଲାଗି ନିର୍ଭୟ ବାସସ୍ଥଳୀରେ ପରିଣତ କରିବାକୁ ‘ ଯିବେ ଦୟା ‘ କମ୍ୱିଂ ଅପରେସନ ଆରମ୍ଭ କରାଯାଇଛି।
ଏହି ମିଳିତ କମ୍ବିଙ୍ଗ ଅପରେସନରେ ଅନୁଗୁଳ, ଢେଙ୍କାନାଳ, କଟକ ଓ ନୟାଗଡ଼ ଜିଲ୍ଲାରେ ଥିବା ଅନୁଗୁଳ, ସାତକୋଷିଆ, ମହାନଦୀ,ଆଠମଲ୍ଲିକ, ଢେଙ୍କାନାଳ, ଆଠଗଡ ଓ କଟକ ଭଳି ୭ଟି ଯାକ ବନଖଣ୍ଡର ସବୁ ଡିଏଫଓ, ରେଞ୍ଜ ଅଫିସର ଓ ବନ କର୍ମଚାରୀ ସାମିଲ ହେବେ। ବନ୍ୟଜନ୍ତୁ ଶିକାରୀ ଓ ଶିକାର ଉଦ୍ଦେଶ୍ୟରେ ହାତ ହତିଆର ଦେଶୀ ବୋମା ତିଆରି ସହ ଜଡ଼ିତ ଅଭ୍ୟାସଗତ ଅପରାଧୀଙ୍କ ଘର ଓ ଆଡ୍ଡା ସ୍ଥଳୀରେ ଚଢ଼ଉ କରି ଗିରଫ କରିବା ସହ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ବନ୍ୟଜନ୍ତୁ ଶିକାରରେ ଜଡ଼ିତ ଥିବା କୌଣସି ବି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ବୋଲି ଡକ୍ଟର ସ୍ବାଇଁ ରୋକ୍ ଠୋକ୍ ଶୁଣାଇଛନ୍ତି।
ସୁଚନା ଥାଉ କି ବୋମା ଖାଇ ଅନୁଗୁଳ ବନଖଣ୍ଡରେ ୫ବର୍ଷ ବୟସ୍କ ହାତୀର ଜୀବନ ଯିବା ପରେ ମାତ୍ରା ୫ଦିନ ଭିତରେ କେବଳ ଅନୁଗୁଳ ବନଖଣ୍ଡରେ ୧୦ ଜଣ ହାତ ତିଆରି ବୋମା ରଖିଥିବା ବ୍ୟକ୍ତି ଓ ଶିକାରୀଙ୍କ ଘରେ ରେଡ କରାଯାଇ ୫ଟି ଦେଶୀ ବନ୍ଧୁକ ସହ ବିପୁଳ ପରିମାଣରେ ଗୁଳି, ହାତ ତିଆରି ବୋମା, ବାରହା ଫାଶ, ସୀସା, ବାରୁଦ୍ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
ଏପରିକି ଗତ କାଲି ଜରପଡା ରେଞ୍ଜର ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୮ଟି ହରିଣ ସିଂଙ୍ଗ ଜବତ କରିଛି ବନ ବିଭାଗ ବର୍ତମାନ ସୁଦ୍ଧା ବନ୍ୟଜନ୍ତୁ ଶିକାର ସହ ଜଡ଼ିତ ୨ଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ଅନେକ ଫେରାର ଅଛନ୍ତି। ଅନ୍ୟ ପକ୍ଷରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ହାତ ତିଆରି ବେଟ୍ ବମ୍ୱ ରଖିଥିବା ଅଭିଯୋଗ ଗତକାଲି ଢେଙ୍କାନାଳ ବାନଖଣ୍ଡ ହିନ୍ଦୋଳ ରେଞ୍ଜରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି।
