ସରକାରୀ କାର୍ଯ୍ୟାଳୟରେ ପଲ ପଲ ଘୁଷୁରୀ

ଅନୁଗୁଳ ସହରରେ ବୁଲୁଛନ୍ତି ଘୁଷୁରୀ ପଲ।ସେମାନେ ସହରର ମୁଖ୍ୟ ରାସ୍ତା ସମେତ ଗଳି ଗଳି ବୁଲୁଛନ୍ତି। ଏପରିକି ସରକାରୀ କାର୍ଯ୍ୟଳୟ ପରିସରରେ ମଧ୍ୟ ମାଳ ମାଳ ଘୁଷୁରୀ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଦିନ ଘୁଷୁରିଙ୍କ ପାଇଁ ଲୋକମାନେ ସମସ୍ୟାରେ ପଡ଼ୁଛନ୍ତି। ବର୍ଷ ବର୍ଷ ଧରି ଏହି ସମସ୍ୟା ସହରରେ ରହିଥିବା ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ପ୍ରକାଶ କରିଛନ୍ତି।

ସୁଚନା ମୁତାବକ ଅନୁଗୁଳ ସହରର ପ୍ରାୟ ସବୁ ସ୍ଥାନରେ ଘୁଷୁରି ପଲଙ୍କ ପାଦୁର୍ଭାବ ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପଛ ପାର୍ଶ୍ୱ ସତେ ଯେପରି ଏମାନଙ୍କର ବାସସ୍ଥଳୀ ପାଲଟିଛି। ସେଠାରେ ପ୍ରାୟ ସବୁଦିନ ମାଳ ମାଳ ଘୁଷୁରି ବୁଲି ସମସ୍ୟା ସୃଷ୍ଟି କରୁଛନ୍ତି।ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଖପାଖରେ ଏମାନଙ୍କୁ ଦେଖିବାକୁ ମିଳୁଛି। ସେହିପରି ଆହାର କେନ୍ଦ୍ର ପାର୍ଶ୍ୱରେ ବହୁ ସଂଖ୍ୟକ ଘୁଷୁରି ରହିଛନ୍ତି। ସହରର ଛୋଟ ଛୋଟ ହୋଟେଲ୍ ପକାଉଥିବା ଖାଦ୍ୟ ଏମାନଙ୍କ ପାଇଁ ଆହାର ପାଲଟୁଛି। ହୋଟେଲର ବଳକା ଖାଦ୍ୟ ବିଭିନ୍ନ ଡ୍ରେନ ସହିତ ଖୋଲା ସ୍ଥାନରେ ପଡ଼ୁଥିବାରୁ ଏଭଳି ସମସ୍ୟା ବଢୁଥିବା କୁହାଯାଇଛି।

ସେହିପରି ବିଭିନ୍ନ ସରକାରୀ ଖୋଲା ସ୍ଥାନରେ ରାତିରେ ଘୁଷୁରୀପଲ ରହୁଛନ୍ତି। ତେବେ ଘୁଷୁରୀ ପାଳୁଥିବା ମାଲିକମାନେ ଖୋଲାଖୋଲି ଭାବେ ସେମାନଙ୍କୁ ସହର ଛାଡ଼ି ଦେଉଥିବାର ଅଭିଯୋଗ ହେଉଛି। ସେମାନେ ପାଳିତ ଘୁଷୁରୀଙ୍କ ଖାଦ୍ୟ ସହିତ ଅନ୍ୟ ସମସ୍ୟା ନେଇ କୌଣସି ତତ୍ପର ହେଉନଥିବା ବେଳେ କେବଳ ମାଂସ କାଟିବାକୁ ନେଇଯାଉଛନ୍ତି।ଅନ୍ୟ ପକ୍ଷରେ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ପୌର ପ୍ରଶାସନକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୁବଶୀଘ୍ର ବୁଲୁଥିବା ଘୁଷୁରୀ ମାଲିକଙ୍କୁ ଚିହ୍ନଟ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ କହିଛନ୍ତି।

ସରକାରୀ ଖୋଲା ସ୍ଥାନରେ ସେମାନଙ୍କୁ ନରଖିବାକୁ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯିବ। ସେହିପରି ଯେଉଁ ହୋଟେଲ୍ ଗୁଡ଼ିକ ବାହାରେ ଖାଦ୍ୟ ଫୋପାଡୁଛନ୍ତି ସେମାନଙ୍କୁ ନୋଟିସ କରାଯିବ ବୋଲି ଜଣାପଡିଛି। ବାହାରେ ଖାଦ୍ୟ ନପକାଇ ପୌରପାଳିକାର ମାଇକ୍ରୋ କଂପୋଷ୍ଟ ସେଣ୍ଟରକୁ ଦେବାକୁ କୁହାଯିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।

Leave a Reply