ଘୂର୍ଣ୍ଣିବଳୟ ‘ଅକ୍ୱାନ୍’କୁ ନେଇ ଓଡ଼ିଶାରେ ସତର୍କତା, ମୁତୟନ ପାଇଁ ପ୍ରସ୍ତୁତ ୭୪ଟି ଉଦ୍ଧାରକାରୀ ଟିମ୍

ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’କୁ ନେଇ ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ପରିସ୍ଥିତି ଉପରେ ପାଣିପାଗ ବିଭାଗ ନଜର ରଖିଥିବା ବେଳେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ମୋଟ ୭୪ଟି ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯାଇଛି। ବାତ୍ୟାର ପ୍ରଭାବରେ ଯଦି କୌଣସି ଅଞ୍ଚଳରେ ଅଧିକ ବର୍ଷା, ପବନ କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇପାରିବ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ କରି ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କ ସୁରକ୍ଷା ଏବଂ ଜୀବନ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ସେ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଜିଲ୍ଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ରଗୁଡ଼ିକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖିବା ସହ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ରହିଛି। ଅଧିକ ବିପଦପୂର୍ଣ୍ଣ ଅଞ୍ଚଳ ଓ ବିପଦରେ ଥିବା ପରିବାରଗୁଡ଼ିକର ତଥ୍ୟ ସଂଗ୍ରହ କରାଯାଉଛି। ଏଥିରେ ଶିଶୁ, ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳାଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି।

ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ସଂଯୋଗ, ଜେନେରେଟର, ଯାନବାହନ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଉଛି। ନିକଟରେ କେତେକ ଅଞ୍ଚଳରେ ଭୂସ୍ଖଳନ ଘଟିଥିବାରୁ ପାହାଡ଼ିଆ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳର ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଉଦ୍ଧାର କାର୍ଯ୍ୟ ପାଇଁ ୭୪ଟି ଟିମ୍ ମୁତୟନ କରାଯାଉଛି। ଏଥିରେ ୬୦ଟି ଓଡ଼ିଶା ବିପର୍ଯ୍ୟୟ ଦ୍ରୁତ କାର୍ଯ୍ୟବାହିନୀ (ODRAF) ଏବଂ ୧୪ଟି ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (NDRF) ଟିମ୍ ରହିଛନ୍ତି। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ପୁରୀ ସମେତ ଅନ୍ୟାନ୍ୟ ଜିଲ୍ଲାରେ ଏହି ଟିମ୍‌ଗୁଡ଼ିକୁ ପ୍ରସ୍ତୁତ ରଖାଯାଉଛି।

ଜଳସମ୍ପଦ ବିଭାଗକୁ ଜଳଭଣ୍ଡାରର ଜଳସ୍ତର, ନଦୀର ଜଳପ୍ରବାହ ଓ ଦୁର୍ବଳ ନଦୀବନ୍ଧ ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି। ସେହିପରି ରାସ୍ତା, ପୋଲ ଓ କଲଭର୍ଟର ଦୁର୍ବଳ ସ୍ଥାନ ଚିହ୍ନଟ କରିବାକୁ କାର୍ଯ୍ୟ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ଖାଦ୍ୟ ଯୋଗାଣ ଓ ପଞ୍ଚାୟତିରାଜ ବିଭାଗକୁ ଚାଉଳ, ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଇନ୍ଧନ ମହଜୁଦ ରଖିବାକୁ କୁହାଯାଇଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ, ନଭେମ୍ବର ୧୭ ସନ୍ଧ୍ୟା ସୁଦ୍ଧା ଅକ୍ୱାନ୍ ଭୀଷଣ ବାତ୍ୟାର ରୂପ ନେଇପାରେ। ପରେ ଏହା ଅଧିକ ଶକ୍ତିଶାଳୀ ହୋଇ ୧୯ ତାରିଖ ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ନଭେମ୍ବର ୨୦ ତାରିଖ ଅପରାହ୍ନରେ ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ମଧ୍ୟରେ ନେଲ୍ଲୋର ଓ ତୁନି ନିକଟରେ ଏହା ସ୍ଥଳଭାଗ ଅତିକ୍ରମ କରିପାରେ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

ଏହାର ପ୍ରଭାବରେ ନଭେମ୍ବର ୧୯ରୁ ୨୧ ତାରିଖ ମଧ୍ୟରେ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଲୋକଙ୍କୁ ଆତଙ୍କିତ ନହୋଇ ସତର୍କ ରହିବା ସହ ପ୍ରଶାସନ ଓ ପାଣିପାଗ ବିଭାଗର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply