ମୋବାଇଲ୍ ନଦେଲେ ଖାଉନାହାନ୍ତି ପିଲା? ଏହି ସହଜ ଉପାୟ ଆପଣାଇ ବଦଳାନ୍ତୁ ଖାଇବା ଅଭ୍ୟାସ

ଆଜିକାଲି ଅନେକ ଘରେ ପିଲାଙ୍କୁ ଖାଇବା ଖୁଆଇବା ପାଇଁ ମୋବାଇଲ୍‌ ଫୋନ୍‌ କିମ୍ବା ଟିଭିର ସାହାଯ୍ୟ ନିଆଯାଉଛି। କାର୍ଟୁନ୍‌, ଗୀତ କିମ୍ବା ଭିଡିଓ ଦେଖିବା ସମୟରେ ପିଲାମାନେ ସହଜରେ ଖାଦ୍ୟ ଖାଇଦେଉଥିବାରୁ ଅଭିଭାବକମାନେ ଏହାକୁ ସହଜ ଉପାୟ ବୋଲି ଭାବୁଛନ୍ତି। କିନ୍ତୁ ଧୀରେ ଧୀରେ ଏହା ଏକ ଅଭ୍ୟାସରେ ପରିଣତ ହେଉଛି। ଏପରିକି ମୋବାଇଲ୍‌ ନମିଳିଲେ କେତେକ ପିଲା ଖାଇବାକୁ ମନା କରୁଛନ୍ତି। ଏହି ଅଭ୍ୟାସ ପିଲାଙ୍କ ଖାଦ୍ୟ ଖାଇବାର ପ୍ରାକୃତିକ ଶୈଳୀ ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ତେଣୁ ଅଭିଭାବକମାନେ ଆରମ୍ଭରୁ ଏଥିପ୍ରତି ସତର୍କ ହେବା ଆବଶ୍ୟକ।

କାହିଁକି ମୋବାଇଲ୍‌ ବିନା ଖାଉନାହାନ୍ତି ପିଲା?

ପିଲାମାନେ ଯେତେବେଳେ ମୋବାଇଲ୍‌ ଦେଖି ଖାଦ୍ୟ ଖାଆନ୍ତି, ସେତେବେଳେ ସେମାନଙ୍କ ଧ୍ୟାନ ଖାଦ୍ୟ ପରିବର୍ତ୍ତେ ସ୍କ୍ରିନ୍‌ ଉପରେ ରହିଥାଏ। ଫଳରେ ଖାଦ୍ୟର ସ୍ୱାଦ, ଗନ୍ଧ ଓ ଗୁଣକୁ ସେମାନେ ଠିକ୍‌ ଭାବେ ଅନୁଭବ କରିପାରନ୍ତି ନାହିଁ। ଏହାକୁ ମନୋବିଜ୍ଞାନରେ ‘ମାଇଣ୍ଡଲେସ୍‌ ଇଟିଂ’ ବୋଲି କୁହାଯାଏ। ଏହି ଅଭ୍ୟାସ ଯୋଗୁଁ ପିଲାମାନେ କେତେ ଖାଦ୍ୟ ଖାଉଛନ୍ତି ଏବଂ କେତେବେଳେ ପେଟ ପୂରିଯାଉଛି, ତାହା ଠିକ୍‌ ଭାବେ ବୁଝିପାରନ୍ତି ନାହିଁ।

୧. ଖାଇବା ସମୟ ନିର୍ଦ୍ଧାରଣ କରନ୍ତୁ

ପିଲାଙ୍କ ଖାଦ୍ୟ ଅଭ୍ୟାସ ବଦଳାଇବା ପାଇଁ ପ୍ରଥମେ ଏକ ନିୟମିତ ସମୟସୂଚୀ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟା ଜଳଖିଆ ଓ ରାତ୍ରି ଭୋଜନ ନିର୍ଦ୍ଧାରିତ ସମୟରେ ଦିଅନ୍ତୁ। ଖାଇବା ସମୟରେ ମୋବାଇଲ୍‌ ଓ ଟିଭି ବନ୍ଦ ରଖନ୍ତୁ। ପିଲା ଖାଇବାକୁ ମନା କଲେ ଜୋରଜବରଦସ୍ତି କରନ୍ତୁ ନାହିଁ। ତାଙ୍କୁ ଦୁଇଟି ସ୍ୱାସ୍ଥ୍ୟକର ଖାଦ୍ୟରୁ ଗୋଟିଏ ବାଛିବାର ସୁଯୋଗ ଦିଅନ୍ତୁ।

୨. ପରିବାର ସହ ଏକାଠି ବସି ଖାଆନ୍ତୁ

ପିଲାମାନେ ବଡ଼ମାନଙ୍କୁ ଦେଖି ଅନେକ ଅଭ୍ୟାସ ଶିଖିଥାନ୍ତି। ତେଣୁ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ମୋବାଇଲ୍‌ ବିନା ଖାଦ୍ୟ ଖାଇବା ଉଚିତ। ଏହି ସମୟରେ ପିଲାଙ୍କ ସହ ସ୍କୁଲ୍‌, ସାଙ୍ଗସାଥୀ, ଖେଳକୁଦ ଓ ଦିନସାରାର ଅନୁଭୂତି ବିଷୟରେ କଥା ହୁଅନ୍ତୁ। ଏହାଦ୍ୱାରା ପିଲାଙ୍କ ଧ୍ୟାନ ମୋବାଇଲ୍‌ରୁ ହଟିବା ସହ ପରିବାର ସହ ଭାବନାତ୍ମକ ସମ୍ପର୍କ ମଧ୍ୟ ମଜବୁତ ହେବ।

୩. ଖାଦ୍ୟ ପ୍ରସ୍ତୁତିରେ ପିଲାଙ୍କୁ ସାମିଲ କରନ୍ତୁ

ପିଲାମାନଙ୍କ ମନରେ ଖାଦ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ରୋଷେଇ ପ୍ରସ୍ତୁତିରେ ସେମାନଙ୍କୁ ସାମିଲ କରନ୍ତୁ। ବୟସ ଅନୁସାରେ ଫଳ ଓ ପନିପରିବା ଧୋଇବା, ଟେବୁଲ୍‌ରେ ପ୍ଲେଟ୍‌ ରଖିବା ଏବଂ ଦୁଇଟି ଖାଦ୍ୟ ମଧ୍ୟରୁ ନିଜ ପସନ୍ଦ ବାଛିବା ଭଳି ଛୋଟ ଦାୟିତ୍ୱ ଦିଅନ୍ତୁ। ଖାଦ୍ୟକୁ ତାରା, ଫୁଲ କିମ୍ବା ହୃଦୟ ଆକାରରେ ସଜାଇ ପରଷିଲେ ପିଲାମାନେ ଅଧିକ ଆକର୍ଷିତ ହୋଇପାରନ୍ତି। ତେବେ ଏକାଥରକେ ଅଧିକ ଖାଦ୍ୟ ପ୍ଲେଟ୍‌ରେ ଦିଅନ୍ତୁ ନାହିଁ।

୪. ଅଭିଭାବକ ନିଜେ ଉଦାହରଣ ସୃଷ୍ଟି କରନ୍ତୁ

ପିଲାଙ୍କୁ ମୋବାଇଲ୍‌ ଦୂରେ ରଖିବାକୁ କହି ନିଜେ ଖାଇବା ସମୟରେ ଫୋନ୍‌ ବ୍ୟବହାର କରିବା ଉଚିତ ନୁହେଁ। କାରଣ ପିଲାମାନେ ବଡ଼ମାନଙ୍କ ଆଚରଣକୁ ଅନୁସରଣ କରନ୍ତି। ତେଣୁ ଅଭିଭାବକମାନେ ମଧ୍ୟ ଭୋଜନ ସମୟରେ ଫୋନ୍‌କୁ ଦୂରେ ରଖିବା ଆବଶ୍ୟକ।

ହଠାତ୍‌ ମୋବାଇଲ୍‌ ଛଡ଼ାଇ ନିଅନ୍ତୁ ନାହିଁ

ପିଲାଙ୍କଠାରୁ ହଠାତ୍‌ ମୋବାଇଲ୍‌ ଛଡ଼ାଇ ନେଲେ ସେମାନେ କାନ୍ଦିପାରନ୍ତି କିମ୍ବା ଖାଇବାକୁ ମନା କରିପାରନ୍ତି। ତେଣୁ ଧୀରେ ଧୀରେ ଖାଇବା ସମୟରେ ସ୍କ୍ରିନ୍‌ ବ୍ୟବହାର କମାନ୍ତୁ। ଏଥିପାଇଁ ଧୈର୍ଯ୍ୟ ଓ ନିୟମିତତା ଅତ୍ୟନ୍ତ ଜରୁରୀ। ପିଲାଙ୍କୁ ଖେଳକୁଦ, ଗପ ପଢ଼ିବା, ଚିତ୍ର ଆଙ୍କିବା ଓ ପରିବାର ସହ ସମୟ ବିତାଇବାକୁ ଉତ୍ସାହିତ କରନ୍ତୁ।

ଶେଷରେ ମନେ ରଖନ୍ତୁ, ପିଲାଙ୍କ ମୋବାଇଲ୍‌ ଅଭ୍ୟାସ ବଦଳାଇବା ଗୋଟିଏ ଦିନର କାମ ନୁହେଁ। ଅଭିଭାବକଙ୍କ ଧୈର୍ଯ୍ୟ, ଭଲପାଇବା ଓ ନିୟମିତ ଉଦ୍ୟମ ଦ୍ୱାରା ପିଲାମାନେ ଧୀରେ ଧୀରେ ବିନା ମୋବାଇଲ୍‌ରେ ଖାଇବା ଶିଖିପାରିବେ।

Leave a Reply