କୋଟିଆରେ ଲାଗୁ ହେବ ନିଷେଧାଦେଶ: ଆନ୍ଧ୍ର ନିର୍ବାଚନକୁ ନେଇ ଓଡ଼ିଶା ସରକାରଙ୍କ କଡ଼ା ପଦକ୍ଷେପ

କୋରାପୁଟ: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା କୋଟିଆ ସୀମା ବିବାଦ ପୁଣିଥରେ ତୀବ୍ର ହୋଇଛି। କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନ କରାଇବାକୁ ଉଦ୍ୟମ ହେଉଥିବାରୁ ଓଡ଼ିଶା ସରକାର ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କୋଟିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ସମସ୍ତ ଗାଁରେ ନିଷେଧାଦେଶ ଲାଗୁ କରିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ଗୁରୁବାର କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସର୍ବଦଳୀୟ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ନେତା ଓ ଜନପ୍ରତିନିଧିମାନେ ଯୋଗଦେଇ କୋଟିଆରେ ଆନ୍ଧ୍ରପ୍ରଦେଶର ନିର୍ବାଚନୀ କାର୍ଯ୍ୟକଳାପକୁ କିପରି ରୋକାଯାଇପାରିବ, ସେନେଇ ଆଲୋଚନା କରିଥିଲେ। ଏହା ସହିତ ସୀମାନ୍ତ ଗାଁଗୁଡ଼ିକରେ ଓଡ଼ିଶା ସରକାରଙ୍କ ବିକାଶମୂଳକ ଯୋଜନାକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି ଯେ, ନଭେମ୍ବର ୧ ତାରିଖରୁ କୋଟିଆ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଅନୁଯାୟୀ ନିଷେଧାଦେଶ ଲାଗୁ ହେବ। ଏହି ନିୟମ ଉଲ୍ଲଂଘନ କଲେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ। ଆବଶ୍ୟକ ପଡ଼ିଲେ ଗିରଫଦାରୀ ମଧ୍ୟ କରାଯିବ। ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ଆଇନ ବ୍ୟବସ୍ଥା ବଜାୟ ରଖିବା ପ୍ରଶାସନର ପ୍ରଥମ ପ୍ରାଥମିକତା ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଓଡ଼ିଶାରେ ରହି ଆନ୍ଧ୍ରପ୍ରଦେଶ ପକ୍ଷରେ ଭୋଟ୍ ଦେଉଥିବା ଲୋକଙ୍କୁ ସେ ସମାଲୋଚନା କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଯେଉଁମାନେ ପଡ଼ୋଶୀ ରାଜ୍ୟକୁ ସମର୍ଥନ କରିବାକୁ ଚାହୁଁଛନ୍ତି, ସେମାନେ ସେଠାକୁ ଯିବା ବିଷୟରେ ଚିନ୍ତା କରିବା ଉଚିତ। ତେବେ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି।

ଅନ୍ୟପଟେ କୋରାପୁଟ ବିଧାୟକ ରଘୁରାମ ମାଛ ଓ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କ ସମେତ କୋଟପାଡ଼ ବିଧାୟକ ରୂପୁ ଭତ୍ରା କହିଛନ୍ତି ଯେ, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏହାର ଭୌଗୋଳିକ ସୀମା ଓ ରାଜ୍ୟର ଅଖଣ୍ଡତା ରକ୍ଷା ପାଇଁ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ଲଢ଼ିବେ। ଆନ୍ଧ୍ରପ୍ରଦେଶକୁ କୋଟିଆରେ ନିର୍ବାଚନ କରାଇବାକୁ ଦିଆଯିବ ନାହିଁ ବୋଲି ସେମାନେ ମତ ଦେଇଛନ୍ତି। ଏଥିସହ ସୀମାନ୍ତରେ ଥିବା ସମସ୍ତ ପ୍ରବେଶ ପଥ ବନ୍ଦ କରିବାକୁ ମଧ୍ୟ ଦାବି ଉଠିଛି।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ନଭେମ୍ବର ୩ ତାରିଖରେ କୋଟିଆର କେତେକ ଗାଁକୁ ନେଇ ନିର୍ବାଚନ କରିବାକୁ ଯୋଜନା କରିଛି। ଏହାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ମଧ୍ୟ ଦାଖଲ କରିଛନ୍ତି। ଉଭୟ ରାଜ୍ୟ ମଧ୍ୟରେ ଏହି ସୀମା ବିବାଦ ଦୀର୍ଘଦିନ ଧରି ଚାଲିଥିବାବେଳେ ଏବେ ପୁଣି ନୂଆ ମୋଡ଼ ନେଇଛି।

କୋଟିଆରେ ଶାନ୍ତି ବଜାୟ ରଖିବା ସହ ଓଡ଼ିଶାର ପ୍ରଶାସନିକ ଉପସ୍ଥିତିକୁ ମଜବୁତ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବେ ସଜାଗ ରହିଛି। ଆଗାମୀ ଦିନରେ ଏହି ବିବାଦ କେଉଁ ଦିଗକୁ ଗତି କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply