ମହାରାଷ୍ଟ୍ରରେ ଗଣେଶୋତ୍ସବ କଥା ଉଠିଲେ ଆଖି ଆଗରେ ଭାସିଉଠେ ବିଶାଳ ଗଣେଶ ମୂର୍ତ୍ତି, ଭକ୍ତଙ୍କ ଭିଡ଼ ଏବଂ ଢୋଲ-ତାଶାର ଗର୍ଜନ। ବିଶେଷକରି ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଶହ ଶହ ଯୁବକ-ଯୁବତୀ ଏକାଠି ହୋଇ ଢୋଲ ଓ ତାଶା ବଜାଇବାର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରେ। ଆଜି ଏହା ମହାରାଷ୍ଟ୍ରର ଗଣେଶୋତ୍ସବର ଏକ ପରିଚୟ ପାଲଟିଥିଲେ ମଧ୍ୟ ଏହି ପରମ୍ପରାର ପଛରେ ରହିଛି ଏକ ରୋଚକ ଘଟଣା। ଏହାର ସମ୍ପର୍କ ୧୯୬୫ ମସିହାରେ ପୁଣେରେ ହୋଇଥିବା ଏକ ପ୍ରତିବାଦ ସହ ଜଡ଼ିତ।
ରିପୋର୍ଟ ଅନୁସାରେ, ୧୯୬୫ ମସିହାରେ ପୁଣେରେ ଦଙ୍ଗା ହୋଇଥିଲା। ଏହା ପରେ ଗଣେଶୋତ୍ସବ ଶୋଭାଯାତ୍ରା ସମୟରେ ଗୀତବାଦ୍ୟ ଓ ବାଦ୍ୟଯନ୍ତ୍ର ବଜାଇବା ଉପରେ ପୁଲିସ ରୋକ ଲଗାଇଥିଲା। ଏହି ନିଷେଧକୁ ବିରୋଧ କରି ଜ୍ଞାନ ପ୍ରବୋଧିନୀର ପ୍ରତିଷ୍ଠାତା ଡା. ଅପ୍ପାସାହେବ ପେଣ୍ଡସେ ଏକ ଅଭିନବ ପ୍ରତିବାଦ କରିଥିଲେ। ସେ ପୁଣେର ଲକ୍ଷ୍ମୀ ରୋଡ୍ର ଏକ ଛକରେ ଗଳାରେ ତାଶା ପକାଇ ଏକାକୀ ଠିଆ ହୋଇ ତାଶା ବଜାଇଥିଲେ। ତାଙ୍କର ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଅପ୍ପାସାହେବଙ୍କ ଏହି ପଦକ୍ଷେପ ପରେ ଜ୍ଞାନ ପ୍ରବୋଧିନୀର ଛାତ୍ରମାନେ ଏକାଠି ହୋଇ ପ୍ରଥମ ଢୋଲ-ତାଶା ପଥକ ଗଠନ କରିଥିଲେ। ଏଥିରେ କେବଳ ବାଦ୍ୟ ବଜାଇବା ନୁହେଁ, ଶୃଙ୍ଖଳା, ସମନ୍ୱୟ ଓ ଦଳଗତ ଅଭ୍ୟାସକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଅପ୍ପାସାହେବଙ୍କ ଉଦ୍ଦେଶ୍ୟ ଥିଲା ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା ଆଣିବା ଏବଂ ସାମାଜିକ ନେତୃତ୍ୱର ଗୁଣ ବିକଶିତ କରିବା।
ପ୍ରାରମ୍ଭରେ ଢୋଲ-ତାଶା ବଜାଇବାକୁ ସମସ୍ତେ ସହଜରେ ଗ୍ରହଣ କରିନଥିଲେ। କିନ୍ତୁ ଶୃଙ୍ଖଳିତ ଭାବରେ ଏହି କଳାକୁ ପ୍ରଦର୍ଶନ କରାଯିବା ପରେ ଏହା ଧୀରେ ଧୀରେ ଲୋକପ୍ରିୟ ହେଲା। ପରେ ପୁଣେର ବିଭିନ୍ନ ବିଦ୍ୟାଳୟ ଓ ଯୁବଗୋଷ୍ଠୀ ନିଜସ୍ୱ ଢୋଲ-ତାଶା ପଥକ ଗଠନ କରିବା ଆରମ୍ଭ କଲେ। ପ୍ରାୟ ୧୯୯୮ରୁ ୨୦୦୦ ମଧ୍ୟରେ ଏହି ପରମ୍ପରା ଏକ ବଡ଼ ଜନଆନ୍ଦୋଳନର ରୂପ ନେବାକୁ ଲାଗିଥିଲା।
ତେବେ ଢୋଲ-ତାଶାର ମୂଳ ମହାରାଷ୍ଟ୍ରର ଗ୍ରାମୀଣ ପରମ୍ପରାରେ ଆହୁରି ପୁରୁଣା। ଗାଁଗୁଡ଼ିକରେ ଦେବଦେବୀଙ୍କ ମେଳା, ଧାର୍ମିକ ଉତ୍ସବ ଓ ଶୋଭାଯାତ୍ରାରେ ଢୋଲ ବ୍ୟବହାର ହେଉଥିଲା। ଏହାକୁ କେତେକ ସ୍ଥାନରେ ଉତ୍ସବର ବାଦ୍ୟ ଏବଂ ଯୁଦ୍ଧର ବାଦ୍ୟ ଭାବରେ ମଧ୍ୟ ଦେଖାଯାଉଥିଲା। ପରେ ଅପ୍ପାସାହେବ ପେଣ୍ଡସେ ଏହି ପରମ୍ପରାକୁ ଏକ ଶୃଙ୍ଖଳିତ ପଥକର ରୂପ ଦେଇଥିଲେ।
ଆଜି ଏକ ଢୋଲ-ତାଶା ପଥକରେ ୫୦ରୁ ୫୦୦ ପର୍ଯ୍ୟନ୍ତ ସଦସ୍ୟ ରହିପାରନ୍ତି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଡାକ୍ତର, ଇଞ୍ଜିନିୟର ଓ ବିଭିନ୍ନ ପେସାର ଲୋକମାନେ ମଧ୍ୟ ଗଣେଶୋତ୍ସବର କିଛି ମାସ ପୂର୍ବରୁ ଅଭ୍ୟାସ ଆରମ୍ଭ କରନ୍ତି। ମହିଳାମାନଙ୍କର ଅଂଶଗ୍ରହଣ ମଧ୍ୟ ଏବେ ବହୁଳ ହୋଇଛି।
ଏହିପରି ଭାବରେ ୧୯୬୫ର ଏକ ପ୍ରତିବାଦରୁ ନୂଆ ରୂପ ପାଇଥିବା ଢୋଲ-ତାଶା ପରମ୍ପରା ଆଜି ଗଣେଶୋତ୍ସବର ଅବିଚ୍ଛେଦ୍ୟ ଅଂଶ ହୋଇପାରିଛି। ଢୋଲର ଗଭୀର ଧ୍ୱନି ଓ ତାଶାର ତୀବ୍ର ତାଳ ଗଣେଶ ଶୋଭାଯାତ୍ରାକୁ ଉତ୍ସାହ ଓ ଶକ୍ତିରେ ଭରିଦିଏ। ଏହା କେବଳ ଏକ ସଙ୍ଗୀତ ପରମ୍ପରା ନୁହେଁ, ବରଂ ଶୃଙ୍ଖଳା, ସାମୂହିକତା ଓ ଯୁବଶକ୍ତିର ଏକ ପ୍ରତୀକ ଭାବେ ମଧ୍ୟ ନିଜର ସ୍ଥାନ ସୃଷ୍ଟି କରିଛି।
