ସମ୍ବଲପୁରରେ ଗଣେଶ ପୂଜା ପେଣ୍ଡାଲ ଜଳି ପାଉଁଶ, ଅଳ୍ପକେ ବର୍ତ୍ତିଲେ ଶ୍ରଦ୍ଧାଳୁ

ସମ୍ବଲପୁର: ଗଣେଶ ପୂଜା ଉତ୍ସବ ଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲାରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ଆଇଁଠାପାଲି ଥାନା ଅଧୀନ ଦେହେରିପାଲି ଅଞ୍ଚଳରେ ଗଣେଶ ପୂଜା ପାଇଁ ନିର୍ମିତ ବିଶାଳ ପେଣ୍ଡାଲରେ ସୋମବାର ସନ୍ଧ୍ୟାରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ପେଣ୍ଡାଲ ଜଳି ପାଉଁଶ ହୋଇଯାଇଥିଲା। ତେବେ ଘଟଣାରେ କୌଣସି ଶ୍ରଦ୍ଧାଳୁ କିମ୍ବା ପୂଜା କମିଟିର ସଦସ୍ୟ ଆହତ ହୋଇନଥିବାରୁ ବଡ଼ ଅଘଟଣ ଟଳିଯାଇଛି।

ସୂଚନା ଅନୁସାରେ, ଦେହେରିପାଲି ପୂଜା କମିଟି ପକ୍ଷରୁ ଚଳିତବର୍ଷ ବଡ଼ ଧୁମଧାମରେ ଗଣେଶ ପୂଜା ଆୟୋଜନ କରାଯାଇଥିଲା। ପୂଜା ପାଇଁ ବିଶାଳ ପେଣ୍ଡାଲ ନିର୍ମାଣ ସହିତ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲା। ଏଥିପାଇଁ କମିଟି ପକ୍ଷରୁ ବହୁ ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଇଥିଲା। ଦିନବେଳେ ପୂଜାର ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥିଲା। ସନ୍ଧ୍ୟା ସମୟରେ ହଠାତ୍ ପେଣ୍ଡାଲ ଭିତରୁ ନିଆଁ ବାହାରୁଥିବା କିଛି ସଦସ୍ୟ ଦେଖିଥିଲେ।

ନିଆଁ ଦେଖିବା ପରେ ପୂଜା କମିଟିର ସଦସ୍ୟମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପ୍ରାୟ ରାତି ୮ଟା ୨୦ ମିନିଟ୍ ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ଖବର ମିଳିଥିବା ବେଳେ ପ୍ରାୟ ୮ଟା ୨୫ ମିନିଟ୍ ସମୟରେ ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ସୂଚନା ମିଳିଥିଲା। ଖବର ପାଇବା ପରେ ଗୋଟିଏ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ କରିଥିଲା।

ତେବେ ପେଣ୍ଡାଲରେ ଲାଗିଥିବା ସାଜସଜ୍ଜା ସାମଗ୍ରୀ ଯୋଗୁଁ ନିଆଁ ଖୁବ୍ ଶୀଘ୍ର ଚାରିଆଡ଼କୁ ବ୍ୟାପିଯାଇଥିଲା। ପେଣ୍ଡାଲର ମୁଖ୍ୟ ଢାଞ୍ଚା ଲୁହାରେ ତିଆରି ହୋଇଥିବା ବେଳେ ଏହା ଉପରେ ପଲିଏଷ୍ଟର କପଡ଼ା ଓ ବିଭିନ୍ନ ସାଜସଜ୍ଜା ସାମଗ୍ରୀ ବ୍ୟବହାର କରାଯାଇଥିଲା। ଏହି ଦାହ୍ୟ ସାମଗ୍ରୀ ଯୋଗୁଁ ନିଆଁ ଦ୍ରୁତଗତିରେ ବ୍ୟାପିଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି।

ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ ମଧ୍ୟ ସେତେବେଳକୁ ପେଣ୍ଡାଲର ମୁଖ୍ୟ ଅଂଶ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଏଥିସହ ଗଣେଶଙ୍କ ମୂର୍ତ୍ତି ମଧ୍ୟ ଅଗ୍ନିକାଣ୍ଡରେ ନଷ୍ଟ ହୋଇଯାଇଛି। ତେବେ ପେଣ୍ଡାଲ ବାହାରେ ଥିବା ଅନ୍ୟ କୌଣସି ସମ୍ପତ୍ତିର କ୍ଷତି ହୋଇନଥିବା ଜଣାପଡ଼ିଛି।

ସମ୍ବଲପୁର ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୋଙ୍କ ସୂଚନା ଅନୁସାରେ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଜଳୁଥିବା ଦୀପରୁ ନିଆଁ ଲାଗିଥାଇପାରେ କିମ୍ବା ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି।

ଏହି ଘଟଣା ପରେ ପୂଜା କମିଟି ସଦସ୍ୟ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଦୁଃଖ ପ୍ରକାଶ ପାଇଛି। ବହୁ ଖର୍ଚ୍ଚରେ ନିର୍ମିତ ପେଣ୍ଡାଲ ଓ ଗଣେଶଙ୍କ ମୂର୍ତ୍ତି ଆଖି ଆଗରେ ଜଳିଯିବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ତେବେ ଘଟଣା ସମୟରେ ଉପସ୍ଥିତ ଲୋକମାନେ ସୁରକ୍ଷିତ ଭାବେ ବାହାରି ଆସିଥିବାରୁ ଏକ ବଡ଼ ବିପଦ ଟଳିଯାଇଛି।

Leave a Reply