ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ଚିଡ଼ିଆଖାନା ନନ୍ଦନକାନନ ଜୁଲୋଜିକାଲ ପାର୍କରେ ଯୋଡ଼ି ହୋଇଛି ଆଉ କିଛି ବିରଳ ପ୍ରଜାତିର ବନ୍ୟଜନ୍ତୁ। ଗୁଜରାଟର ଜାମନଗରସ୍ଥିତ ରାଧାକୃଷ୍ଣ ଟେମ୍ପଲ ଏଲିଫାଣ୍ଟ ୱେଲଫେୟାର ଟ୍ରଷ୍ଟ (RKTEWT) ପକ୍ଷରୁ ନନ୍ଦନକାନନକୁ ୧୪ଟି ବିଦେଶୀ ପ୍ରଜାତିର ମୋଟ ୫୮ଟି ବନ୍ୟଜନ୍ତୁ ଦାନ କରାଯାଇଛି। ଏହି ଟ୍ରଷ୍ଟ ଅନନ୍ତ ଅମ୍ବାନୀଙ୍କ ‘ଭାନ୍ତାରା’ ସହ ଜଡ଼ିତ।
ଶନିବାର ଏହି ବନ୍ୟଜନ୍ତୁମାନଙ୍କୁ ସ୍ୱତନ୍ତ୍ର ଦାନ ଭାବେ ନନ୍ଦନକାନନକୁ ଅଣାଯାଇଛି। ଏହି ନୂଆ ଅତିଥିମାନଙ୍କ ମଧ୍ୟରେ ଜେବ୍ରା, କ୍ୟାଙ୍ଗାରୁ, ଲେମୁର, ମାକାଓ, ମିରକାଟ୍, କାସୋୱାରୀ ଓ ବ୍ଲୁ ୱାଇଲ୍ଡବିଷ୍ଟ ଭଳି ବିରଳ ପ୍ରଜାତି ସାମିଲ ଅଛନ୍ତି। ଏହା ନନ୍ଦନକାନନର ପ୍ରଜାତି ବିବିଧତାକୁ ଆହୁରି ସମୃଦ୍ଧ କରିବ ବୋଲି ବନ୍ୟଜନ୍ତୁ ବିଭାଗ ଆଶା ପ୍ରକାଶ କରିଛି।
ନନ୍ଦନକାନନକୁ ଆସିଥିବା ପ୍ରାଣୀମାନଙ୍କ ମଧ୍ୟରେ ୪ଟି ଜେବ୍ରା, ୪ଟି କ୍ୟାଙ୍ଗାରୁ, ୬ଟି ବେନେଟ୍ସ ୱାଲାବି, ୪ଟି ରିଙ୍ଗ୍-ଟେଲ୍ଡ ଲେମୁର, ୪ଟି ଟଫ୍ଟେଡ୍ କାପୁଚିନ୍, ୪ଟି ସ୍କାରଲେଟ୍ ମାକାଓ ଏବଂ ୪ଟି ବ୍ଲୁ-ଆଣ୍ଡ-ଗୋଲ୍ଡ ମାକାଓ ରହିଛନ୍ତି। ଏହା ସହ ୪ଟି ଗ୍ରୀନ୍-ୱିଙ୍ଗ୍ଡ ମାକାଓ, ୪ଟି ସଲଫର-କ୍ରେଷ୍ଟେଡ୍ କକାଟୁ, ୪ଟି କ୍ରାଉନ୍ଡ କ୍ରେନ୍, ୪ଟି ସ୍କାରଲେଟ୍ ଆଇବିସ୍, ୬ଟି ମିରକାଟ୍, ୨ଟି କାସୋୱାରୀ ଏବଂ ୪ଟି ବ୍ଲୁ ୱାଇଲ୍ଡବିଷ୍ଟ ଆସିଛନ୍ତି।
ଏହି ସମସ୍ତ ବନ୍ୟଜନ୍ତୁଙ୍କ ମଧ୍ୟରେ ପୁରୁଷ ଓ ମାଈ ପ୍ରାଣୀଙ୍କ ସମନ୍ୱିତ ସଂଖ୍ୟା ରଖାଯାଇଛି। ଏହା ଫଳରେ ଭବିଷ୍ୟତରେ ପ୍ରଜନନ କାର୍ଯ୍ୟକ୍ରମକୁ ମଧ୍ୟ ସହାୟତା ମିଳିପାରିବ। ନନ୍ଦନକାନନର ଉପନିର୍ଦ୍ଦେଶକ ପ୍ରଦୀପ ମିରାସେଙ୍କ ସୂଚନା ଅନୁସାରେ, ଏହି ନୂଆ ଆଗମନ ଦ୍ୱାରା ଜୁଲୋଜିକାଲ ପାର୍କରେ ୧୦ଟି ନୂଆ ପ୍ରଜାତି ଯୋଡ଼ି ହେବ। ଏଥିସହ ଗୋଟିଏ ପ୍ରଜାତିର ଯୋଡ଼ି ଗଠନ ଏବଂ ତିନୋଟି ପ୍ରଜାତିରେ ନୂଆ ଜିନ୍ ପୁଲ୍ ଆଣିବାର ସୁଯୋଗ ମିଳିବ।
ଏହି ନୂଆ ପ୍ରାଣୀମାନଙ୍କ ଆଗମନ ପରେ ନନ୍ଦନକାନନରେ ମୋଟ ପ୍ରଜାତି ସଂଖ୍ୟା ୧୮୮ରେ ପହଞ୍ଚିଛି। ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ପ୍ରେମ କୁମାର ଝା କହିଛନ୍ତି ଯେ, ଏହି ନୂଆ ପ୍ରାଣୀମାନେ ନନ୍ଦନକାନନର ପ୍ରଜାତି ବିବିଧତାକୁ ଆହୁରି ମଜବୁତ କରିବା ସହ ସଂରକ୍ଷଣ ଶିକ୍ଷା କାର୍ଯ୍ୟକ୍ରମକୁ ମଧ୍ୟ ସମୃଦ୍ଧ କରିବେ। ବିଭିନ୍ନ ଭୌଗୋଳିକ ଅଞ୍ଚଳର ବନ୍ୟଜନ୍ତୁ, ସେମାନଙ୍କ ପରିବେଶ ସହ ଖାପ ଖୁଆଇବାର ପ୍ରକ୍ରିୟା ଏବଂ ଜୈବ ବିବିଧତା ସଂରକ୍ଷଣର ଗୁରୁତ୍ୱ ବିଷୟରେ ପର୍ଯ୍ୟଟକମାନେ ଜାଣିବାର ସୁଯୋଗ ପାଇବେ।
ନୂଆ ଆସିଥିବା ସମସ୍ତ ପ୍ରାଣୀଙ୍କୁ ବର୍ତ୍ତମାନ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଓ ଆଚରଣ ଉପରେ ନଜର ରଖାଯାଉଛି। କ୍ୱାରେଣ୍ଟାଇନ୍ ସମୟ ଶେଷ ହେବା ପରେ ନିୟମ ଅନୁସାରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ଏନ୍କ୍ଲୋଜରରେ ରଖାଯିବ। ନନ୍ଦନକାନନର ଭେଟେରିନାରୀ ଟିମ୍ ଏବଂ ପଶୁପାଳନ ବିଶେଷଜ୍ଞମାନେ ସେମାନଙ୍କ ଯତ୍ନ ନେବେ।
ଏହା ସହ ନିକଟରେ ବାଲେଶ୍ୱରର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍ ଶିଶୁଙ୍କର ମଧ୍ୟ ନନ୍ଦନକାନନରେ ବିଶେଷ ଯତ୍ନ ନିଆଯାଉଛି। ସେମାନଙ୍କ ସ୍ୱାସ୍ଥ୍ୟର ୨୪ ଘଣ୍ଟିଆ ନଜରଦାରି ସହ ସ୍ୱତନ୍ତ୍ର ଖାଦ୍ୟ ତାଲିକା, ଖେଳକୁଦ ଓ ମ୍ୟୁଜିକ୍ ଥେରାପି ଭଳି ବ୍ୟବସ୍ଥା କରାଯାଇଛି।
ଭାନ୍ତାରା ସହ ଜଡ଼ିତ ଟ୍ରଷ୍ଟ ପକ୍ଷରୁ ଆଗାମୀ ଦିନରେ ଆହୁରି ପ୍ରାୟ ଏକ ଡଜନ୍ ବିରଳ ପ୍ରଜାତି ନନ୍ଦନକାନନକୁ ଦାନ କରାଯିବ ବୋଲି ସୂଚନା ମିଳିଛି। ଏହା ଫଳରେ ଭାରତର ସର୍ବାଧିକ ପ୍ରଜାତି ଥିବା ଜୁଲୋଜିକାଲ ପାର୍କଗୁଡ଼ିକ ମଧ୍ୟରେ ନନ୍ଦନକାନନର ସ୍ଥାନ ଆହୁରି ମଜବୁତ ହେବାର ଆଶା ରହିଛି।
