ନିଜେ ପଢ଼ିପାରିଲେନି, ହେଲେ ପିଲାଙ୍କୁ ସ୍କୁଲ ଯିବାକୁ ପ୍ରେରଣା ଦେଉଛନ୍ତି ରିଙ୍କୁ

ଢେଙ୍କାନାଳ ଜିଲ୍ଲାର ସୋଗର ଗାଁର ରଶ୍ମିରଞ୍ଜନ, ଯାହାଙ୍କୁ ସ୍ନେହରେ ସମସ୍ତେ ‘ରିଙ୍କୁ’ ବୋଲି ଡାକନ୍ତି। ପେସାରେ ସେ ଜଣେ ଡେଲିଭରି ବୟ। କିନ୍ତୁ ତାଙ୍କର ପରିଚୟ କେବଳ ଏତିକିରେ ସୀମିତ ନୁହେଁ। ନିଜେ ଆର୍ଥିକ ଓ ପାରିବାରିକ ସମସ୍ୟା କାରଣରୁ ନିଜ ପାଠପଢ଼ା ଜାରି ରଖିପାରିନଥିବା ରିଙ୍କୁ ଏବେ ଗାଁର ପିଲାମାନଙ୍କୁ ସ୍କୁଲ ମୁହାଁ କରାଇବାରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି।

ପ୍ରତିଦିନ ସକାଳୁ ରିଙ୍କୁଙ୍କ ଦିନ ଆରମ୍ଭ ହୁଏ ଏକ ଭିନ୍ନ କାମରୁ। ଗାଁର କେଉଁ ପିଲା ସ୍କୁଲ ଯିବାକୁ ଅମଙ୍ଗ ହେଉଛି, କିଏ ଘରେ ଲୁଚି ରହିଛି, କିଏ ଆଉ କିଛି ସମୟ ଶୋଇବାକୁ ଚାହୁଁଛି—ସେସବୁ ଖୋଜିବା ପାଇଁ ସେ ଗାଁର ଗଳିକନ୍ଦି ବୁଲନ୍ତି। ପିଲାଙ୍କ ଘରକୁ ଯାଇ ସେମାନଙ୍କୁ ବୁଝାଇବା ସହ ଆବଶ୍ୟକ ପଡ଼ିଲେ ନିଜେ ତାଙ୍କୁ ପ୍ରସ୍ତୁତ କରାଇ ସ୍କୁଲକୁ ନେଇଯାଆନ୍ତି।

କେହି ପିଲା ସହଜରେ ରିଙ୍କୁଙ୍କ କଥା ଶୁଣି ସ୍କୁଲ ଯାଇଥାଏ। ଆଉ କେହି ତାଙ୍କୁ ଦେଖି ଲୁଚିବାକୁ ଚେଷ୍ଟା କରନ୍ତି। ଏପରିକି ଅନେକ ଘରେ ପିଲା ସ୍କୁଲ ଯିବାକୁ ନଚାହିଲେ ଅଭିଭାବକମାନେ ମଜାରେ କହନ୍ତି—‘ସ୍କୁଲ ଯାଅ, ନହେଲେ ରିଙ୍କୁ ଆସିଯିବ।’ ଏହା ତାଙ୍କ ପ୍ରତି ପିଲା ଓ ଅଭିଭାବକଙ୍କ ମଧ୍ୟରେ ଗଢ଼ିଉଠିଥିବା ଏକ ନିଆରା ସମ୍ପର୍କକୁ ଦର୍ଶାଉଛି।

ଛୋଟ ପିଲାମାନଙ୍କ ପାଇଁ ରିଙ୍କୁଙ୍କ ଯତ୍ନ ଆହୁରି ଅଧିକ। କେହି ପିଲା ଖାଲି ପାଦରେ ସ୍କୁଲ ଯାଉଥିଲେ ସେମାନଙ୍କୁ ଚପଲ ଯୋଗାଇଦିଅନ୍ତି। ସ୍କୁଲ ଯିବା ପାଇଁ ପିଲାଙ୍କୁ ଉତ୍ସାହିତ କରିବାକୁ ବେଳେବେଳେ ଚକୋଲେଟ୍ ଓ ବିସ୍କୁଟ୍ ମଧ୍ୟ ଦିଅନ୍ତି। ଚୁଟି କୁଣ୍ଡାଇବାଠାରୁ ଆରମ୍ଭ କରି ୟୁନିଫର୍ମ ପିନ୍ଧାଇବା ପର୍ଯ୍ୟନ୍ତ ରିଙ୍କୁ ନିଜେ ସାହାଯ୍ୟ କରନ୍ତି।

ରିଙ୍କୁ କେବଳ ନିଜ ଉଦ୍ୟମରେ ଏହି କାମ କରୁନାହାନ୍ତି। ସରକାରଙ୍କ ‘ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ’ ପଦକ୍ଷେପ ସହ ସେ ସ୍ଥାନୀୟ ସ୍କୁଲ ଶିକ୍ଷକଙ୍କ ସହ ମିଶି କାମ କରୁଛନ୍ତି। ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଘରକୁ ଘର ବୁଲି ଅଭିଭାବକ ଓ ପିଲାଙ୍କୁ ଶିକ୍ଷାର ଗୁରୁତ୍ୱ ବୁଝାଉଛନ୍ତି। ସ୍କୁଲ ଆରମ୍ଭ ହେବା ପୂର୍ବରୁ ସେ ମୋଟରସାଇକେଲରେ ଗାଁର ବିଭିନ୍ନ ଅଞ୍ଚଳ ବୁଲି ପିଲାମାନେ ସ୍କୁଲ ପହଞ୍ଚିଲେ କି ନାହିଁ ନିଶ୍ଚିତ କରନ୍ତି।

ରିଙ୍କୁଙ୍କ ଜୀବନ କାହାଣୀ ମଧ୍ୟ ଅତ୍ୟନ୍ତ ପ୍ରେରଣାଦାୟକ। ଆର୍ଥିକ ଅଭାବ ଓ ପାରିବାରିକ ପରିସ୍ଥିତି ତାଙ୍କୁ ନିଜ ଇଚ୍ଛା ଅନୁସାରେ ପାଠପଢ଼ା ଜାରି ରଖିବାରୁ ବଞ୍ଚିତ କରିଥିଲା। କିନ୍ତୁ ନିଜ ସ୍ୱପ୍ନ ଅଧୁରା ରହିଗଲା ବୋଲି ସେ ହାର ମାନିନଥିଲେ। ଯେଉଁ ଶିକ୍ଷା ସେ ନିଜେ ପାଇପାରିଲେ ନାହିଁ, ସେହି ଶିକ୍ଷାର ସୁଯୋଗ ଅନ୍ୟ ପିଲାମାନେ ପାଆନ୍ତୁ ବୋଲି ସେ ଉଦ୍ୟମ ଆରମ୍ଭ କରିଥିଲେ।

ଡେଲିଭରି ବୟ ଭାବେ କାମ କରି ନିଜ ଜୀବିକା ଚଳାଉଥିବା ରିଙ୍କୁଙ୍କ ପାଖରେ ବଡ଼ ସମ୍ବଳ ନାହିଁ। ହେଲେ ପିଲାଙ୍କ ଶିକ୍ଷା ପାଇଁ ତାଙ୍କ ମନରେ ରହିଛି ଅସୀମ ଉତ୍ସାହ। ତାଙ୍କର ଏହି ଛୋଟ ଛୋଟ ପ୍ରୟାସ ଏବେ ଗାଁରେ ଏକ ବଡ଼ ପରିବର୍ତ୍ତନର ଆଶା ସୃଷ୍ଟି କରିଛି। ନିଜେ ପଢ଼ିବାର ସୁଯୋଗ ହରାଇଥିବା ଜଣେ ଯୁବକ ଅନ୍ୟ ପିଲାଙ୍କ ଶିକ୍ଷା ପାଇଁ ଯେଉଁ ଉଦାହରଣ ସୃଷ୍ଟି କରୁଛନ୍ତି, ତାହା ନିଶ୍ଚିତ ଭାବେ ସମାଜ ପାଇଁ ଏକ ପ୍ରେରଣା।

Leave a Reply