ହିଜାବ ବନାମ ସ୍କୁଲ ୟୁନିଫର୍ମ: ମୁସଲିମ ଛାତ୍ରୀଙ୍କ ଆବେଦନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ

ହିଜାବ ପିନ୍ଧି ସ୍କୁଲ ୟୁନିଫର୍ମ ପରିଧାନ କରିବାକୁ ଅନୁମତି ଦାବି କରି ଦାଖଲ ହୋଇଥିବା ଜଣେ ମୁସଲିମ ଛାତ୍ରୀଙ୍କ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ପ୍ରୟାଗରାଜର ଟାଗୋର ପବ୍ଲିକ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ ନିଜ ଧାର୍ମିକ ବିଶ୍ୱାସ ଆଧାରରେ ସ୍କୁଲ ୟୁନିଫର୍ମ ସହିତ ହିଜାବ ପିନ୍ଧିବାକୁ ଅନୁମତି ମାଗିଥିଲେ। ଅଗଷ୍ଟ ୨୫, ୨୦୨୬ରେ ଏହି ମାମଲାରେ ରାୟ ଦେଇ ଅଦାଲତ କହିଛନ୍ତି ଯେ ହିଜାବ ପିନ୍ଧିବା ଇସଲାମର ଏକ ଅନିବାର୍ଯ୍ୟ ଧାର୍ମିକ ପ୍ରଥା ବୋଲି ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ଧାର୍ମିକ କିମ୍ବା ଆଇନଗତ ପ୍ରମାଣ ଦିଆଯାଇନାହିଁ।

ଜଷ୍ଟିସ୍ ଜେ.ଜେ. ମୁନୀର ଓ ଜଷ୍ଟିସ୍ ଇନ୍ଦ୍ରଜିତ ଶୁକ୍ଳାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଛାତ୍ରୀଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ ସେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏହି ସ୍କୁଲରେ ପଢ଼ିଥିଲେ ଏବଂ ସେହି ସମୟରେ ସ୍କୁଲ ପକ୍ଷରୁ ହିଜାବ ପିନ୍ଧିବା ନେଇ କୌଣସି ଆପତ୍ତି କରାଯାଇନଥିଲା। ତେଣୁ ଏକାଦଶ ଶ୍ରେଣୀରେ ମଧ୍ୟ ତାଙ୍କୁ ୟୁନିଫର୍ମ ସହ ହିଜାବ ପିନ୍ଧିବାକୁ ଅନୁମତି ମିଳିବା ଉଚିତ ବୋଲି ସେ ଦାବି କରିଥିଲେ।

ଛାତ୍ରୀଙ୍କ ଯୁକ୍ତି ଥିଲା ଯେ ହିଜାବ ତାଙ୍କ ଧାର୍ମିକ ଆସ୍ଥାର ଅଂଶ ଏବଂ ଏହା ପିନ୍ଧିବାରୁ ରୋକିବା ତାଙ୍କର ମୌଳିକ ଅଧିକାରକୁ ପ୍ରଭାବିତ କରୁଛି। ସେ ସମ୍ବିଧାନର ଧାରା ୧୪ ଓ ୧୯(୧)(ଏ) ଅଧୀନରେ ନିଜ ଅଧିକାରର କଥା ଉଠାଇଥିଲେ। ତାଙ୍କ ମତରେ, ହିଜାବ ପିନ୍ଧିବା ତାଙ୍କ ବ୍ୟକ୍ତିଗତ ଆସ୍ଥା ଓ ମର୍ଯ୍ୟାଦା ସହ ଜଡ଼ିତ।

ଅନ୍ୟପକ୍ଷରେ ସ୍କୁଲ ପ୍ରଶାସନ କହିଥିଲା ଯେ ଏହା ଏକ ବେସରକାରୀ, ସହାୟତାବିହୀନ ଏବଂ ସିବିଏସ୍‌ଇ ସହ ଅନୁବନ୍ଧିତ ସହଶିକ୍ଷା ସଂସ୍ଥା। ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସମାନ ଡ୍ରେସ୍ କୋଡ୍ ରହିଛି। ତେଣୁ ଜଣେ ଛାତ୍ରୀଙ୍କୁ ଅଲଗା ଭାବେ ହିଜାବ ପିନ୍ଧିବାର ଅନୁମତି ଦେଲେ ୟୁନିଫର୍ମର ଏକରୂପତା ଓ ସ୍କୁଲର ଶୃଙ୍ଖଳା ପ୍ରଭାବିତ ହୋଇପାରେ ବୋଲି ସ୍କୁଲ ପକ୍ଷରୁ କୁହାଯାଇଥିଲା। ସେହି ସମ୍ପ୍ରଦାୟର ଅନ୍ୟ ଛାତ୍ରୀମାନେ ମଧ୍ୟ ନିର୍ଦ୍ଧାରିତ ୟୁନିଫର୍ମ ପାଳନ କରୁଥିବା କଥା ସ୍କୁଲ ଉଲ୍ଲେଖ କରିଥିଲା।

ହାଇକୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ କୌଣସି ସ୍କୁଲର ୟୁନିଫର୍ମ ନୀତି ଯଦି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସମାନ, ସତ୍ୟନିଷ୍ଠ ଏବଂ ଭେଦଭାବମୁକ୍ତ ହୋଇଥାଏ, ତେବେ ବ୍ୟକ୍ତିଗତ ପସନ୍ଦ ଆଧାରରେ ଏହାକୁ ବଦଳାଇବାକୁ ବାଧ୍ୟ କରାଯାଇପାରିବ ନାହିଁ। ସ୍କୁଲର ପରିଚୟ, ଶୃଙ୍ଖଳା ଓ ସମାନତା ରକ୍ଷା କରିବା ପାଇଁ ଡ୍ରେସ୍ କୋଡ୍ ଲାଗୁ କରିବାର ଅଧିକାର ସଂସ୍ଥା ପାଖରେ ରହିଛି।

ଅଦାଲତ ଆହୁରି କହିଛନ୍ତି ଯେ ପୂର୍ବରୁ ସ୍କୁଲ ହିଜାବ ପିନ୍ଧିବାକୁ ଅନୁମତି ଦେଇଥିଲା ବୋଲି ଏହା ଛାତ୍ରୀଙ୍କ ପାଇଁ ସ୍ଥାୟୀ ଆଇନଗତ ଅଧିକାର ସୃଷ୍ଟି କରେନାହିଁ। ନିମ୍ନ ଶ୍ରେଣୀରେ ସ୍କୁଲ ପ୍ରଶାସନ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିନଥିବା କିମ୍ବା ଅନ୍ୟ କୌଣସି କାରଣରୁ ଅନୁମତି ଦେଇଥିବା ସମ୍ଭବ। କିନ୍ତୁ ପରବର୍ତ୍ତୀ ସମୟରେ ସ୍କୁଲ ନିଜ ଡ୍ରେସ୍ କୋଡ୍ ଲାଗୁ କରିପାରିବ ବୋଲି କୋର୍ଟ ମତ ଦେଇଛନ୍ତି।

ହିଜାବକୁ ଇସଲାମର ଅନିବାର୍ଯ୍ୟ ଧାର୍ମିକ ପ୍ରଥା ବୋଲି ପ୍ରମାଣ କରିବା ପ୍ରସଙ୍ଗରେ ମଧ୍ୟ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି। ଛାତ୍ରୀଙ୍କ ପକ୍ଷରୁ ଏହି ଦାବି କରାଯାଇଥିଲେ ମଧ୍ୟ ଏହାକୁ ସମର୍ଥନ କରିବା ପାଇଁ ପର୍ଯ୍ୟାପ୍ତ ପ୍ରାମାଣିକ ଧାର୍ମିକ ଗ୍ରନ୍ଥ କିମ୍ବା ଆଇନଗତ ସାମଗ୍ରୀ ରେକର୍ଡରେ ରଖାଯାଇନଥିଲା ବୋଲି କୋର୍ଟ କହିଛନ୍ତି। କେବଳ ଦାବି କରିଦେଲେ ସମ୍ବିଧାନର ଧାରା ୨୫ ଅଧୀନରେ ସୁରକ୍ଷା ଦାବି କରାଯାଇପାରିବ ନାହିଁ ବୋଲି ରାୟରେ କୁହାଯାଇଛି।

ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟର ୨୦୨୨ ମସିହାର ରାୟକୁ ମଧ୍ୟ ଆହ୍ଲାବାଦ ହାଇକୋର୍ଟ ବିଚାରକୁ ନେଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ହିଜାବକୁ ଇସଲାମର ଅନିବାର୍ଯ୍ୟ ଧାର୍ମିକ ପ୍ରଥା ଭାବେ ଗ୍ରହଣ କରିନଥିଲେ। ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଏହି ମାମଲାରେ ଭିନ୍ନ ମତ ଗ୍ରହଣ କରିବାର କୌଣସି ଯଥେଷ୍ଟ କାରଣ ନାହିଁ। ତେବେ ଏହି ବିଷୟରେ ସୁପ୍ରିମକୋର୍ଟର ଚୂଡ଼ାନ୍ତ ସ୍ପଷ୍ଟ ରାୟ ଏପର୍ଯ୍ୟନ୍ତ ନଥିବା କଥା ମଧ୍ୟ ଉଲ୍ଲେଖ ହୋଇଛି।

ଶେଷରେ ଅଦାଲତ ଛାତ୍ରୀଙ୍କ ଆବେଦନକୁ ଖାରଜ କରି ସ୍କୁଲର ନିର୍ଦ୍ଧାରିତ ୟୁନିଫର୍ମ କୋଡ୍ ଲାଗୁ କରିବାର ଅଧିକାରକୁ ସ୍ୱୀକାର କରିଛନ୍ତି। ଏହି ରାୟ ପରେ ଧାର୍ମିକ ସ୍ୱାଧୀନତା, ଶିକ୍ଷାନୁଷ୍ଠାନର ଡ୍ରେସ୍ କୋଡ୍ ଓ ବ୍ୟକ୍ତିଗତ ଅଧିକାରକୁ ନେଇ ପୁଣିଥରେ ଆଲୋଚନା ଆରମ୍ଭ ହୋଇଛି। ତେବେ ରାୟର ମୁଖ୍ୟ ଆଧାର ଥିଲା—ସ୍କୁଲର ୟୁନିଫର୍ମ ନୀତି ଯଦି ସମସ୍ତଙ୍କ ପାଇଁ ସମାନ ଓ ଭେଦଭାବମୁକ୍ତ, ତେବେ ତାହାକୁ ପାଳନ କରିବାକୁ ଛାତ୍ରଛାତ୍ରୀଙ୍କୁ ପଡ଼ିବ।

Leave a Reply