ନୀତିନ ଗଡକରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ NH-55ର ଦୁରବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ NH-55ର ବିଭିନ୍ନ ସ୍ଥାନରେ ରାସ୍ତା ଖରାପ ହୋଇପଡ଼ିଥିବାରୁ ଏହାର ତୁରନ୍ତ ମରାମତି ପାଇଁ ସେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଚିଠିରେ ଗଡକରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିବା ସହ ରାଜପଥର ତୁରନ୍ତ ରକ୍ଷଣାବେକ୍ଷଣ ଏବଂ ବଡ଼ ବଡ଼ ଖାଲଖମା ମରାମତି କରିବାକୁ ଅନୁରୋଧ କରିଛନ୍ତି। ତାଙ୍କ ମତରେ, ଏହି ରାଜପଥର ଅନେକ ଅଂଶ ବର୍ତ୍ତମାନ ଖରାପ ଅବସ୍ଥାରେ ରହିଛି। ବିଶେଷକରି ଲଗାତାର ବର୍ଷା ଏବଂ ବହୁ ସଂଖ୍ୟକ ଯାନବାହନ ଚଳାଚଳ ଯୋଗୁଁ ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି।

NH-55 ଓଡ଼ିଶାର ପଶ୍ଚିମ ଅଞ୍ଚଳକୁ ଉପକୂଳ ଓଡ଼ିଶା ସହ ଯୋଡ଼ୁଥିବା ଏକ ପ୍ରମୁଖ ଯାତାୟାତ ଓ ପରିବହନ କରିଡର। ସମ୍ବଲପୁର, ଅନୁଗୁଳ ଓ କଟକ ଭଳି ଗୁରୁତ୍ୱପୂର୍ଣ୍ଣ ସହର ଓ ଅଞ୍ଚଳକୁ ଏହି ରାଜପଥ ସଂଯୋଗ କରୁଛି। ଏହା ମାଧ୍ୟମରେ ଯାତ୍ରୀବାହୀ ଯାନ ସହିତ ମାଲବାହୀ ଟ୍ରକ୍‌ ଏବଂ ଅନ୍ୟାନ୍ୟ ଭାରୀ ଯାନବାହନ ନିୟମିତ ଭାବେ ଚଳାଚଳ କରିଥାଏ। ତେଣୁ ରାସ୍ତାର ଦୁରବସ୍ଥା ସାଧାରଣ ଲୋକଙ୍କ ସହିତ ବ୍ୟବସାୟୀ ଓ ପରିବହନ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରୁଛି।

ବର୍ଷା ଋତୁରେ ସମସ୍ୟା ଆହୁରି ଗମ୍ଭୀର ହୋଇଛି। ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଜମି ରହୁଥିବାରୁ ଗାତଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଯାଉନାହିଁ। ଫଳରେ ଦ୍ରୁତ ଗତିରେ ଯାଉଥିବା ଗାଡ଼ି ଚାଳକମାନେ ହଠାତ୍ ଗାତରେ ପଡ଼ିଯିବା କିମ୍ବା ଗାଡ଼ିର ନିୟନ୍ତ୍ରଣ ହରାଇବାର ଆଶଙ୍କା ରହୁଛି। ଏହା ଦୁର୍ଘଟଣାର ଝୁମ୍ପ ବଢ଼ାଇବା ସହ ଟ୍ରାଫିକ୍‌ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି କରୁଛି।

ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତ୍ରୀମାନେ ମଧ୍ୟ ଏହି ଖରାପ ରାସ୍ତାକୁ ନେଇ ଅସୁବିଧା ଭୋଗୁଛନ୍ତି। ଦୈନିକ ଯାତାୟାତ କରୁଥିବା ଲୋକଙ୍କ ସମୟ ନଷ୍ଟ ହେଉଥିବା ବେଳେ ଯାନବାହନର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବଢ଼ୁଛି। ମାଲବାହୀ ଯାନଗୁଡ଼ିକର ଗତି ଧୀର ହେବାରୁ ସାମଗ୍ରୀ ପରିବହନରେ ମଧ୍ୟ ପ୍ରଭାବ ପଡ଼ୁଛି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ NH-55 କେବଳ ଏକ ସାଧାରଣ ରାସ୍ତା ନୁହେଁ, ଏହା ଓଡ଼ିଶାର ଦୁଇଟି ପ୍ରମୁଖ ଭୌଗୋଳିକ ଅଞ୍ଚଳକୁ ଯୋଡ଼ୁଥିବା ଜୀବନରେଖା ସଦୃଶ। ପଶ୍ଚିମ ଓଡ଼ିଶାରୁ ଉପକୂଳ ଅଞ୍ଚଳକୁ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବାରେ ଏହାର ଗୁରୁତ୍ୱ ଅତ୍ୟଧିକ। ତେଣୁ ଏହି ରାଜପଥର ଶୀଘ୍ର ମରାମତି ଏବଂ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବା ଜରୁରୀ ବୋଲି ସେ ଗଡକରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କୁ ଅନୁରୋଧ କରିଛନ୍ତି ଯେ ସମ୍ବଲପୁରରୁ କଟକ ମଧ୍ୟରେ ଥିବା NH-55ର ଖରାପ ଅଂଶଗୁଡ଼ିକର ତୁରନ୍ତ ମରାମତି ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଉ। ରାସ୍ତାର ଗାତ ପୋତିବା ସହ ଆବଶ୍ୟକ ସ୍ଥାନରେ ରକ୍ଷଣାବେକ୍ଷଣ କାମ କରାଗଲେ ଯାତ୍ରୀମାନଙ୍କ ଯାତାୟାତ ଅଧିକ ସୁରକ୍ଷିତ ଓ ସୁବିଧାଜନକ ହୋଇପାରିବ।

ଏହି ପଦକ୍ଷେପ ଦ୍ୱାରା ରାଜପଥରେ ଯାତାୟାତ ବ୍ୟବସ୍ଥା ସୁଧୁରିବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ କମିବ ବୋଲି ଆଶା କରାଯାଉଛି। ସେହିପରି ପଶ୍ଚିମ ଓଡ଼ିଶାରୁ କଟକ ଓ ଉପକୂଳ ଅଞ୍ଚଳକୁ ଯାତ୍ରା ଏବଂ ବାଣିଜ୍ୟିକ ପରିବହନ ଅଧିକ ସୁଗମ ହେବ। ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ NH-55ର ମରାମତି କାମ କେତେ ଶୀଘ୍ର ଆରମ୍ଭ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply