୫୦ ବର୍ଷର NAC, ହେଲେ ବିକାଶ ଶୂନ୍ୟ
ବସଷ୍ଟାଣ୍ଡରୁ ଶୀତଳ ଭଣ୍ଡାର—ସବୁଠି କେବଳ “ନାହିଁ ନାହିଁ”ର ନାରା
ଗୋଟିଏ ପଟେ ୫୦ ବର୍ଷର ପୁରୁଣା ଇତିହାସ, ଆଉ ଅନ୍ୟପଟେ ଅଧୁରା ବିକାଶର ପାହାଡ଼! କାଶୀନଗର ଏନ୍ଏସି (NAC) ଏବେ ରାଜନୀତିର ଏପରି ଏକ ମୋଡ଼ରେ ଠିଆ ହୋଇଛି, ଯେଉଁଠି ପ୍ରଶ୍ନ ଗୋଟିଏ—”ଆଗାମୀ ପୌର ନିର୍ବାଚନରେ ବିଜେପି ତାର ଗଡ଼ ବଞ୍ଚାଇ ପାରିବ ତ?” ରାଜନୀତି ବିଶାରଦମାନେ ଏବେଠୁ ଗଣିତ କଷିବା ଆରମ୍ଭ କଲେଣି। କିନ୍ତୁ ଗ୍ରାଉଣ୍ଡ୍ର ସତ କହିଲେ, ଚଳିତ ନିର୍ବାଚନ ପ୍ରତ୍ୟେକ ଦଳ ପାଇଁ ସାଜିବାକୁ ଯାଉଛି ବଡ଼ ଅଗ୍ନିପରୀକ୍ଷା।
ଗୋଟିଏ କି ଦୁଇଟି ନୁହେଁ, ବିତିଗଲାଣି ପୂରା ପଚାଶ ବର୍ଷ! କଂଗ୍ରେସ, ବିଜେଡି, ଆଉ ଜନତା ଦଳର ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ପୌର ଅଧ୍ୟକ୍ଷ ଓ ଅଧ୍ୟାକ୍ଷା ଗାଦିରେ ବସିଛନ୍ତି। ହେଲେ ଆଖିଦୃଶିଆ ଉନ୍ନତି? ଫଳ ଶୂନ୍! ନା ପ୍ରସ୍ତୁତ ହୋଇଛି ଭବିଷ୍ୟତ ପାଇଁ ଭିଜନ୍ ଡକ୍ୟୁମେଣ୍ଟ, ନା ଦୃଶ୍ୟମାନ ହେଉଛି କୌଣସି ଯୋଜନା। ରାସ୍ତା ଉପରେ ରାସ୍ତା ଆଉ ଡ୍ରେନ୍ ଉପରେ ଡ୍ରେନ୍ ନିର୍ମାଣ ଛଡ଼ା ସହରରେ ଆଉ କିଛି ହୋଇନି। ଦୈନିକ ବଜାରଟିଏ ନାହିଁ, ନାହିଁ କୌଣସି ବିଶ୍ରାମଗାର। ଭଲ ବସ୍ଷ୍ଟାଣ୍ଡଟିଏ ପାଇଁ ଲୋକେ ଚାହିଁ ରହିଥିବା ବେଳେ, ଏନ୍ଏସି ଆଜି ଯାଏଁ ନିଜର ସ୍ଥାୟୀ କାର୍ଯ୍ୟାଳୟ ଟିଏ ବି ଠିଆ କରିପାରିନି। ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ନାହିଁ କି ଜରୁରୀ ସେବା ପାଇଁ ପୋଷ୍ଟମୋର୍ଟମ୍ ସେଣ୍ଟର ନାହିଁ। ସବୁଠି କେବଳ “ନାହିଁ ନାହିଁ”ର କରୁଣ ଚିତ୍ର! ରାଜନୀତିର ପଶାପାଲିରେ ସାଧାରଣ ଲୋକ କେବଳ ନୂଆ ନୂଆ ଚେହେରା ଦେଖିବା ଛଡ଼ା କିଛି ପାଇନାହାନ୍ତି।
ସହରର ରାଜନୈତିକ ସମୀକରଣ ବି ବେଶ୍ ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନର ଅଧ୍ୟାକ୍ଷା ଏମ୍. ସୁଧାରାଣୀ ତିନି ତିନି ଥର ଅଧ୍ୟାକ୍ଷା ହୋଇସାରିଲେଣି, ହେଲେ ଆସନ୍ତା ନିର୍ବାଚନରେ ସେ ଲଢ଼ିବେ କି ନାହିଁ, ତାହା ଅସ୍ପଷ୍ଟ। ସେ ବିଜେଡି ଟିକେଟ୍ରୁ ଜିତିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ବିଜେପି କ୍ୟାମ୍ପକୁ ଚାଲିଗଲେ। ବିଜେଡି ଏଠାରେ ପୌର ପରିଷଦ ଗଠନ କରିଥିଲେ ବି, ସୁଧାରାଣୀ ବିଜେପିକୁ ଯିବା ପରେ ପୌର ଉପାଧ୍ୟକ୍ଷଙ୍କୁ ପଦରୁ ହଟାଇ ଦିଆଗଲା, ଆଉ ୱାର୍ଡ ନମ୍ବର ୫ର କଂଗ୍ରେସ କାଉନ୍ସିଲରଙ୍କ ଗାଦି ବି ଗଲା। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ, କାଶୀନଗର ପୌର ପରିଷଦରେ ବିଜେପି ଏବେ ମଜବୁତ୍ ସ୍ଥିତିରେ ଅଛି, ଅନ୍ୟପଟେ ବିଜେଡିର ଗଡ଼ ଧୀରେ ଧୀରେ ଭୁଶୁଡ଼ିବାକୁ ବସିଛି।
ଆଗାମୀ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ଏସ୍ସି (SC) ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ଆକଳନ କରି, ବିଜେପି ଟାଉନ୍ ସଭାପତି ଭି. ଚେଳପତି ଏବେଠୁ ନିଜକୁ ପ୍ରସ୍ତୁତ କଲେଣି।
ହେଲେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ବିଜେଡିର ସ୍ଥାନୀୟ ବିଧାୟକ, ବ୍ଲକ୍ ଓ ଜିଲ୍ଲା ପରିଷଦ ଥାଇ ମଧ୍ୟ ଦଳ କାହିଁକି ଦିନକୁ ଦିନ ଖସୁଛି? ବିଜେପି ନିଜ ମନଇଚ୍ଛା କାମ କରି ଚାଲିଥିଲେ ବି, ବିଜେଡି ଆକ୍ରାମକ ଢଙ୍ଗରେ ମୁକାବିଲା କରିବାରେ ଫେଲ୍ ମାରୁଛି। ପରଦା ପଛର ସତ ହେଉଛି, ବିଜେଡି ଓ ବିଜେପିର କର୍ମୀ ଏବଂ ଠିକାଦାରମାନେ ମିଶି ସାଲିସ୍ରେ କଣ୍ଟ୍ରାକ୍ଟ କାମ କରୁଛନ୍ତି! ଫଳରେ ନିର୍ବାଚନ ସମୟରେ କେଉଁ କର୍ମୀ କୁଆଡ଼େ ଯିବେ, ତାହା ଆକଳନ କରିବା ସମ୍ଭବ ନୁହେଁ।
ତେବେ ପୁରୁଣା ରାଜନୈତିକ ଗଣିତ ଯାହା ବି ହେଉ, ଏଥର ନିର୍ବାଚନର ସବୁ ଭାର ରହିଛି “ଜେନ୍-ଜି” (Gen-Z) ତଥା ନୂଆ ପିଢ଼ିର ସଚେତନ ଭୋଟରଙ୍କ ହାତରେ। ନେତାଙ୍କ ସାଲିସ୍ ରାଜନୀତିକୁ ପଛରେ ପକାଇ ନୂଆ ଭୋଟର କାହାକୁ ବାଛୁଛନ୍ତି, ତାହା ହିଁ ଦେଖିବାକୁ ବାକି ରହିଲା।
