ପୁଣି ସାମ୍ନାକୁ ଆସିଲେ ନବୀନଙ୍କ ତ୍ରିମୂର୍ତ୍ତି !
୨୦୨୪ ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ଥିଲେ ଏହି ତିନି ନେତା !
ଦଳର ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ଏହି ତିନି ନେତାଙ୍କ ଭୂମିକାକୁ ନେଇ ଚର୍ଚ୍ଚା !
ଦର୍ଶକବନ୍ଧୁ ପଞ୍ଚାୟତ ନିର୍ବାଚନ କୁ ଆଉ ବର୍ଷକରୁ କମ ସମୟ ରହିଛି। ତିନି ଦଳ ଏବେଠୁ ବଳ କଶିବା ଆରମ୍ଭ କଲେଣି। ତୃଣମୂଳ ସ୍ତରରେ ନିଜ ନିଜର ସାଂଗଠାନିକ ଶକ୍ତି ବୃଦ୍ଧି ପାଇଁ ତିନି ପ୍ରମୁଖ ରାଜନୀତିକ ଦଳ ଏବେଠୁ ସମରସଜ୍ଜା ଆରମ୍ଭ କଲେଣି। ବିଶେଷ କରି ବିଜେଡିର ରଣନୀତିକୁ ନେଇ ୨୦୨୪ ରେ ବିଜେଡି କ୍ଷମତାଚ୍ୟୁତ ହେବା ପରେ ନୂଆ ରଣନୀତି ସହ କାମ କରିବା ଆରମ୍ଭ କରିଛି।କୁହାଯାଉଛି ଏହି ଦୁଇ ବର୍ଷ ଭିତରେ ଅନେକ କିଛି ଏକ୍ସପେରିମେଣ୍ଟ କରିଛି ବିଜେଡି। ଆଗାମୀ ପଞ୍ଚାୟତ ପୂର୍ବରୁ ଚୂଡ଼ାନ୍ତ ରଣନୀତି ନେଇ ବିଜେଡି ମଇଦାନ କୁ ଓହ୍ଲାଇବାକୁ ଯୋଜନା କରୁଛି। କାରଣ ବିଜେଡି କ୍ଷମତାରୁ ଯିବା ପରେ ଅନେକ ଆହ୍ୱାନ ସୃଷ୍ଟି ହୋଇଛି। ନେତା ମାନେ ଦଳ ଛାଡିବା ସହ ବିଭିନ୍ନ ସମୟରେ ଦଳୀୟ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇ ଦଳ ପାଇଁ ଆହ୍ୱାନ ସୃଷ୍ଟି କରିଛନ୍ତି। ଗତ କିଛି ଦିନ ହେବ ଏଥିରେ ସାମାନ୍ୟ ରୋକ୍ ଲାଗିଥିଲେ ବି ଅତୀତର ଘଟଣା କ୍ରମ କୁ ଆଧାର କରି ନବୀନ ନୂଆ ରଣନୀତି ନେଇ ଆଗାମୀ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।
ଏହି କ୍ରମରେ ଏବେ ତିନି ନେତାଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।ଏକଦା ନବୀନଙ୍କ ଏକାନ୍ତ ଅନୁଗତ ବା ନବୀନଙ୍କ ପାଖାପାଖି ରହୁଥିବା ଏହି ନେତା ଏବେ ସାମ୍ନାକୁ ଆସିଛନ୍ତି। ନିକଟରେ ଦୁଇଟି ଘଟଣା କ୍ରମ କୁ ଦେଖିଲେ ଏବେ ଚର୍ଚ୍ଚା ଚାଲିଛି କି ଏହି ନେତା ମାନଙ୍କୁ ସାମ୍ନାକୁ ଆଣି କିଛି ବଡ ସନ୍ଦେଶ ଦେବାକୁ ଚାହୁଁଛନ୍ତି ନବୀନ। ଅନେକ ନେତାଙ୍କୁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯକ୍ରମରେ ନବୀନ ସାମ୍ନାକୁ ଆଣିଥିବା ଦେଖିବାକୁ ମିଳିଛି। କିନ୍ତୁ ଏକଦା ପାୱାର କରିଡ଼ରରେ ପାୱାର ଫୁଲ ଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା,ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ଏବେ ବିଭିନ୍ନ କାର୍ଯକ୍ରମରେ ଏକାଠି ଦେଖିବାକୁ ମିଳୁଛି। ନିକଟରେ ରାଜ୍ୟରେ ସାର ସଙ୍କଟ କୁ ନେଇ। ବିଜେଡିର ସାମ୍ବାଦିକ ସମ୍ମିଳନୀରେ ଏହି ତିନି ନେତାଙ୍କୁ ଏକାଠି ଦେଖିବାକୁ ମିଳୁଥିବା ବେଳେ ସୋମବାର ନବୀନ ନିବାସରେ ବସିଥିବା ସାଂଗଠାନିକ ବୈଠକରେ ଏକାଠି ଦେଖିବାକୁ ମିଳିଥିଲା ଏହି ତିନି ନେତାଙ୍କୁ। ଏହି ବୈଠକରେ ଗୁରୁତ୍ଵପୂର୍ଣ୍ଣ ସାଂଗଠନିକ ନିଷ୍ପତି ନିଆଯାଇଥିବା ବେଳେ ଉପସ୍ଥିତି ଥିଲେ ଏହି ତିନି ଲିଡର।ମୋଟ ୫ ଜଣ ନେତାଙ୍କ ସହ ନବୀନ ଆଲୋଚନା କରିଥିଲେ ବି ଏହି ତିନି ନେତାଙ୍କ ଉପସ୍ଥିତି ବେଶ ଚର୍ଚ୍ଚା ସୃଷ୍ଟି କରିଛି।
ଏହି ତିନି ନେତା ଆଗକୁ ଆସିବା ଏଇଥି ପାଇଁ ଚର୍ଚ୍ଚା ସୃଷ୍ଟି କରିଛି କି ଏମାନଙ୍କ ସାଂଗଠାନିକ ଦକ୍ଷତାକୁ କେହି ଅସ୍ବୀକାର କରି ପାରିବେନି। ଏକଦା ସଞ୍ଜୟ ବିଜେଡ଼ିର ଯୁବ ସଙ୍ଗଠନ କୁ ନିୟନ୍ତ୍ରଣ କରୁଥିବା ବେଳେ ଅରୁଣଙ୍କ ହାତରେ ଥିଲା ଛାତ୍ର ସଂଗଠନ। ଅନେକ ସମୟରେ ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଏମାନଙ୍କ ହାତରେ ଛାଡୁଥିଲେ ନବୀନ। ଏହି ଯୋଡ଼ିଙ୍କୁ ନେଇ ଏକଦା ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ତାଲିକାରେ ଯୋଡ଼ି ହୋଇଥିଲା ପ୍ରଣବ ପ୍ରକାଶ ଦାସଙ୍କ ନାଁ। ୨୦୨୪ ନିର୍ବାଚନ ପୂର୍ବରୁ ବବି ଦାସ ନବୀନଙ୍କ ଅଧିକ ନିକଟତର ହୋଇଥିବା ବେଳେ ଏହି ତିନି ନେତାଙ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଥିଲା। କିନ୍ତୁ ୨୪ ନିର୍ବାଚନ ପରେ ପରେ ଧୀରେ ଧୀରେ ଚିତ୍ର ବଦଳୁଥିବା ଦେଖିବାକୁ ମିଳିଛି। ସଞ୍ଜୟ ଏବେ ବେଶ୍ ଶକ୍ତିଶାଳୀ ଥିବା ବେଳେ ତିନି ନେତା ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ହେବା ବେଶ ଚର୍ଚ୍ଚା ସୃଷ୍ଟି କରିଛି। କୁହାଯାଉଛି ଆଗାମୀ ଦିନରେ ହୁଏତ ପୁରୁଣା ଫର୍ମୁଲା ରିପିଟ କରି ପାରନ୍ତି ନବୀନ ପଟ୍ଟନାୟକ।
