ତାଳଚେର ବିଦ୍ୟୁତ୍ ବିଭାଗ ଅଧୀନରେ ହଣ୍ଡିଧୁଆ ଛକ ଠାରୁ ଶର୍ମା ଛକ ପର୍ଯ୍ୟନ୍ତ ବିଦ୍ୟୁତ୍ ଖମ୍ବର ରକ୍ଷଣାବେକ୍ଷଣ କରାଯାଉଛି। ଏହି ସମୟରେ ମୁଖ୍ୟ ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣଙ୍କ ସୁରକ୍ଷାକୁ ଅଣଦେଖା କରାଯାଇଥିବା ଜଣାପଡ଼ିଛି।
ସୁଚନା ମୁତାବକ, ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ୍ ତାରର ରକ୍ଷଣାବେକ୍ଷଣ କରାଯାଉଛି। ବିଦ୍ୟୁତ୍ ଖମ୍ବ ପରିବର୍ତ୍ତନ କରୁଥିବା ଠିକା ସଂସ୍ଥା ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ତାଳଚେର ହାଟତୋଟା ରୋଡ ଠାରୁ ହଣ୍ଡିଧୁଆଁ ଛକ ସଦା ସର୍ବଦା ଗହଳି ରହିଥାଏ। ଗତ ଦୁଇ ଦିନ ହେଲା ଏହି ଗହଳି ରାସ୍ତା ଉପରେ କୌଣସି ସୁରକ୍ଷା କର୍ମଚାରୀ ଉପସ୍ଥିତ ନଥାଇ ବିଦ୍ୟୁତ୍ ଖମ୍ବ ଲଗାଯାଇଛି। ଫଳରେ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ସୁରକ୍ଷିତ ମଣୁ ନାହାନ୍ତି।
ଉକ୍ତ ରାସ୍ତା ଦେଇ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ବିଦ୍ୟୁତ୍ ଉପଜିଲ୍ଲାପାଳ, ତହସିଲଦାର, ବ୍ଲକ୍,ରେଜିଷ୍ଟ୍ରି, ସ୍କୁଲକଲେଜ, କୋର୍ଟ ସହିତ ଅନ୍ୟାନ୍ୟ ବ୍ୟାଙ୍କ୍ ଏବଂ ବଜାର ରହିଛି। ତେଣୁ ସମ୍ପୂର୍ଣ୍ଣ ରୂପେ ତାଳଚେର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି।
ଗହଳି ସମୟରେ ବିଦ୍ୟୁତ୍ ଖୁଣ୍ଟ ନେବା ଆଣିବା କରିବାକୁ ଲୋକମାନେ ବିରୋଧ କରୁଛନ୍ତି। ହେଲେ କାମ କରୁଥିବା ଠିକା ସଂସ୍ଥା ଲୋକମାନଙ୍କୁ ଧମକାଇ କାର୍ଯ୍ୟ ଜାରୀ ରଖିଥିବା ଯାତ୍ରୀ କମଳ ବେହେରା ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗକୁ ଅନ୍ୟ ପଥଚାରୀ ସମର୍ଥନ କରିଥିବା ଜଣା ପଡ଼ିଛି।
ଏନେଇ ତାଳଚେର ଟିପିସିଓଡିଏଲ୍ ଏସଡିଓ ବବୁଲ ମହାରଣା କହିଛନ୍ତି ଗହଳି ସମୟରେ ବିଦ୍ୟୁତ୍ ଖୁଣ୍ଟ ନେବା ଆଣିବା ସହିତ ଖୁଣ୍ଟ ଲଗାଇବାର ନିର୍ଦ୍ଦେଶ ନାହିଁ। ଠିକାଦାର ଏହା କିଭଳି କରୁଛି ତାହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
