ଆଗକୁ ବର୍ଷା ଦିନ, ଶିଳ୍ପ ସମୃଦ୍ଧ ଅନୁଗୋଳ ସହରକୁ ଘଟିଲାଣି ଜଳବନ୍ଦୀ ଚିନ୍ତା। ବିଭିନ୍ନ ସ୍ଥାନରେ ଠିକ୍ ଯୋଜନା ଅଭାବରୁ ବର୍ଷା ଜଳ ନିଷ୍କାସନ ହୋଇନପାରି ରାସ୍ତାଘାଟ ରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି।
ଜାତୀୟ ରାଜପଥ ଓ ଟ୍ରାଫିକ ପାର୍ଶ୍ୱରେ ଥିବା ନାଳ ଗୁଡିକରେ ସ୍ଥାନୀୟ ବାସିନ୍ଦାଙ୍କ ଘୋରେଇ ନାଳ ସଂଯୋଗ ହେବା ଯୋଗୁଁ ଜଳ ନିଷ୍କାସନ ଠିକ୍ ଭାବରେ ହୋଇପାରୁନାହିଁ। ଫଳରେ ରାସ୍ତା ଉପରେ ପାଣି ଜମା ହୋଇ ରହିଥିବା ଦ୍ଵାରା ଯାତାୟତ ବାଧାପ୍ରାପ୍ତ ହେଉଛି। ବଜାର ଛକ ଠାରୁ ସମ୍ପୂର୍ଣ୍ଣ ବଜାର ପରିସର ରେ ସଫେଇ କାର୍ଯ୍ୟ ଠିକ୍ ଭାବେ ହେଉନଥିବା ପାଣି ଜମା ହୋଇ ରହିବା ସହ ୪ନମ୍ବର ୱାର୍ଡ଼ ବାସିନ୍ଦାଙ୍କ ଘରୁ ବାହାରୁ ଥିବା ନାଳପାଣି ରାସ୍ତା ଉପରକୁ ଆସେ।
ଫଳରେ ଅଂଚଳରେ ଯାତାୟତ କରିବା କଷ୍ଟକର ହେବାସହ ଅପରିସ୍କାର ପାଣିରେ ବ୍ୟବସାୟୀମାନେ ଘାଣ୍ଟି ହୋଇଥାନ୍ତି। ସେହିପରି ହୁଲୁରି ସିଂହ ଛକ ଠାରୁ ଗାନ୍ଧୀ ମାର୍ଗକୁ ମିଶ୍ରୀ ଅପାର୍ଟମେଣ୍ଟ ସାମ୍ନାରେ ସାମାନ୍ୟ ବର୍ଷାରେ ପାଣି ଜମି ରହୁଛି। ପଥ ଚାରୀ ଓ ଅପାର୍ଟମେଣ୍ଟ ବାସୀ ଆଣ୍ଠୁଏ ପାଣିର ଯାତାୟତ କରିଥାନ୍ତି।
ସେହିପରି ହେମୁସୁର ପଡ଼ା ନିକଟରେ ଥିବା ମଙ୍ଗଳାବିହାରୀ ଅଂଚଳ ରେ ମଧ୍ଯ ବର୍ଷା ଦିନରେ ଲୋକେ ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି। ସହରର ଜଗନ୍ନାଥ ମନ୍ଦିର ରାସ୍ତା, ଷ୍ଟାଡିୟମ୍ ରୋଡ଼, ଶିଖର ପଡ଼ା ଆଦି ରାସ୍ତାରୁ ଯାଇ ଅଂଚଳ ବାସୀଙ୍କ ଘରେ ପଶୁଛି।
ଠିକ୍ ଯୋଜନା ଅଭାବରୁ ରାସ୍ତାର ଚଉଡ଼ା ଓ ଉଚ୍ଚତା ବଢିଯିବା ଯୋଗୁଁ ଅଂଚଳ ବାସୀ ସମସ୍ୟା ଭୋଗୁଛନ୍ତି। ସହର ର ତଳି ଅଂଚଳରେ ବର୍ଷା ଦିନ ରେ ଘର ଭିତରେ ପାଣି ପଶିବା ଏବଂ ରାସ୍ତାରେ କୃତ୍ରିମ ବନ୍ୟାର ଭୟ ସୃଷ୍ଟି କରୁଛି। ଅଧିକାଂଶ ସ୍ଥାନରେ ନାଳ ଗୁଡ଼ିକ ପ୍ଲାଷ୍ଟିକ ଏବଂ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହୁଥିବାରୁ ପାଣି ପ୍ରବାହ ରେ ବାଧା ସୃଷ୍ଟି ହେଉଛି।
ବର୍ଷା ଦିନ ପୁର୍ବରୁ ନାଳ ଗୁଡ଼ିକ ସଫା କରିବା, ମଶା ଔଷଧ ସିଞ୍ଚନ କରିବା ଓ ସମସ୍ତ ୱାର୍ଡର କାଉନସିଲର ନିଜ ଅଞ୍ଚଳକୁ ଡ୍ରେନ୍ ସମସ୍ୟା ଓ ପରିବେଶ ପ୍ରତି ଧ୍ୟାନ ଦେବା ଅବଶ୍ୟ ରହିଛି।
