ଭୁବନେଶ୍ଵରୀ କୋଇଲା ଖଣି ପକ୍ଷରୁ ଗତକାଲି ତାଳଚେର ବ୍ଲକ୍ ହେଂସମୂଳ ଗ୍ରାମକୁ ଖଣି ଏବଂ ପ୍ରଶାସନର ମିଳିତ ସହଯୋଗରେ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଯେଉଁଠି ରାତି ପାହିଲେ ଗ୍ରାମ୍ୟ ପରିବେଶ ସତେଜ ହୋଇ ଉଠୁଥିଲା, ଲୋକଙ୍କ ଆତଜାତ ହେଉଥିଲା, ମନ୍ଦିରରେ ମନ୍ତ୍ରଧ୍ଵନି ଶୁଭୁଥିଲା ତାହା ଏବେ ସଂପୂର୍ଣ୍ଣ ଖାଁ ଖାଁ। ରାତି ପାହିଲେ ଯେଉଁ ଘର ଅଗଣାରେ ଥିବା ତୁଳସୀ ଚଉଁରାରେ ଧୂପ ଜଳୁଥିଲା, ପାଣି ଦିଆ ଯାଉଥିଲା ତାହା ପାଲଟି ଯାଇଥିଲା ଭଙ୍ଗା ଇଟାର ଗଦାରେ। ଯେଉଁ ଗାଁ ଦାଣ୍ଡରେ ପିଲା ସ୍କୁଲ୍ ଯାଉଥିଲେ, ଚାଷୀ ହଳ ଲଙ୍ଗଳ ଧରି ବିଲକୁ ଯାଉଥିଲା, ସେହି ଗାଁ ରାସ୍ତା ଶୁନଶାନ୍ ପାଲଟି ଯାଇଥିଲା।
ଭୁବନେଶ୍ଵରୀ କୋଇଲା ଖଣିର ସମ୍ପ୍ରସାରଣ ପାଇଁ ଖଣି ପକ୍ଷରୁ ହେଂସମୂଳ ଗ୍ରାମବାସୀଙ୍କୁ ପୂର୍ବରୁ ଅନେକ ବାର ନୋଟିସ୍ କରାଯାଇଥିଲା। କିନ୍ତୁ ଗ୍ରାମବାସୀ ନିଜର ଭିଟାମାଟିର, ଭାଇଚାରା, ସଂପର୍କକୁ ନେଇ ଗାଁ କୁ ଛାଡ଼ିବାକୁ ରାଜି ହେଉନଥିଲେ। ଯାହାକୁ ନେଇ ଗ୍ରାମବାସୀଙ୍କ ସହିତ ଜିଲ୍ଲା ପ୍ରଶାସନଙ୍କ ସହିତ ଅନେକବାର ବୈଠକ ହୋଇ ଗ୍ରାମ ଉଚ୍ଛେଦକୁ ନେଇ ଆଲୋଚନା ହୋଇଥିଲା। ଏପରିକି ଖଣି କର୍ତ୍ତୁପକ୍ଷଙ୍କ ପକ୍ଷରୁ ଗତକାଲି ଉଚ୍ଛେଦ ହେବା ପୂର୍ବରୁ ପ୍ରତି ପରିବାରକୁ ନୋଟିସ୍ ଦ୍ୱାରା ଅବଗତ କରାଇବା ସହିତ ଡାକବାଜି ଯନ୍ତ୍ର ସାହାଯ୍ୟରେ ଅବଗତ କରାଯାଇଥିଲା।
ହେଲେ ଖଣି କର୍ତ୍ତୁପକ୍ଷଙ୍କ ଏହି ସୁଚନା କୁ କେହି କର୍ଣ୍ଣପାତ କରିନଥିଲେ। ଯାହାଫଳରେ ଗତକାଲି ଗ୍ରାମରେ ଥିବା ୪୨ଟି ପରିବାରର ଘର ସମ୍ମୁଖରେ ବୁଲଡୋଜର ଠିଆ କରି ଭାଙ୍ଗିବାକୁ ଉଦ୍ୟମ କରାଯାଇଥିଲା। ଯାହାକୁ ଗୋଟିଏ ପରିବାର ବିରୋଧ କରିଥିଲେ। ପୁଲିସ୍ ପ୍ରଶାସନର ଭୟ ଏବଂ ଅଧିକାରୀଙ୍କ ଚାପରେ ଯେଉଁ ପରିବାର ନିଜର ହକ ପାଇଁ ଲଢେଇ କରି ଆସୁଥିଲା ସେ ପରିବାର ମଧ୍ୟ ନୀରବି ଯାଇଥିଲା। ଖଣି କର୍ତୁପକ୍ଷ କହାର କଥାକୁ ଶୁଣିବାକୁ ପ୍ରସ୍ତୁତି ନଥିଲା।
ଗତକାଲି ଦିନ ତମାମ ଗ୍ରାମ ଉଚ୍ଛେଦ ପରେ ଅଧିକାଂଶ ଲୋକ ବାହାରେ ନିଜର ଜିନିଷ ପତ୍ର ଗଦା କରି ଚିନ୍ତାରେ ବସିଥିଲେ। କିଛି ପରିବାର ଭଡ଼ାରେ ଗାଡି ଆଣି ନିଜର ଆସବାବପତ୍ର ବୋହି ନେଇଥିଲେ। କିନ୍ତୁ ଆଜି ଏହି ଚିତ୍ର ସମ୍ପୂର୍ଣ୍ଣ ଭାବେ ଅଲଗା । ଗ୍ରାମରେ ଗୋଟିଏ ବି ଘର ଦେଖିବାକୁ ମିଳି ନଥିଲା। ସବୁଠି କେବଳ ଭଙ୍ଗା ଇଟା । ଏହି ଇଟା ଖଣ୍ଡ ଭିତରେ କାହାର କଣ ରହି ଯାଇଛି ତାହା ଖୋଜା ଚାଲିଥିଲା। କେହି କେହି ଅତୀତର ସ୍ମୃତି କୁ ମନେ ପକାଇ ଲୁହ ଝରାଉଥିଲା।
ଏନେଇ ଭୁବନେଶ୍ଵରୀ କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଆର . ଶ୍ରୀରାମଙ୍କୁ ପରିବାରରୁ ସେ କହିଛନ୍ତି ହେଂସମୂଳ ଗ୍ରାମ ଉଚ୍ଛେଦ ପୂର୍ବରୁ ଅନେକ ଥର ନୋଟିସ୍ ଦିଆଯାଇଛି। ବ୍ୟକ୍ତିଗତ ଭାବେ ଅବଗତ କରାଯାଇଛି। ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
