ପ୍ରଶାସନିକସ୍ତରରେ ଆନ୍ତରିକତା ଅଭାବ କାରଣରୁ ତାଳଚେର ସହର ମଧ୍ୟରେ ରହିଥିବା ରାଣୀ ପାର୍କ ଜଙ୍ଗଲର ସୋନ୍ଦର୍ଯ୍ୟକରଣ ହୋଇପାରି ନାହିଁ। ଫଳରେ ଋତୁରେ ଏହି ଜଙ୍ଗଲ ଆଉ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରୁ ନଥିବା ଜଣାପଡ଼ିଛି। ଏଥରେ ଏକ ହରିଣ ପାର୍କ ନିର୍ମାଣ ପାଇଁ ଦିଆଯାଇଥିବା ପ୍ରସ୍ତାବ ତିନି ବର୍ଷରୁ ଅଧିକ ହେଲାଣି ଅଟକି ରହିଛି।
ସୁଚନା ମୁତାବକ ତାଳଚେର ସହର ମଧ୍ୟରେ ରାଣୀ ପାର୍କ ଜଙ୍ଗଲ ରହିଛି। ଏହି ଜଙ୍ଗଲ ପାଖ ଦେଇ ବ୍ରାହ୍ମଣୀ ନଦୀ ପ୍ରବାହିତ ହେବା ସହିତ ତାଳଚେର ରାଜପ୍ରସାଦ ଓ ରାଣୀ ବନ୍ଧ ରହିଛି। ଯାହାକି ଏହି ଜଙ୍ଗଲର ପରିବେଶକୁ ମନୋରମ କରିଛି। ୧୪୫ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଏହା ଅବସ୍ଥିତ ଥିବାରୁ ଗମନାଗମନ ଦୃଷ୍ଟିରୁ ମଧ୍ୟ ଅସୁବିଧା ନାହିଁ।
ତାଳଚେର ସହର ତଥା ତାଳଚେର ବସ୍ ଷ୍ଟାଣ୍ଡ ପାଖରେ ଥିବାରୁ ପର୍ଯ୍ୟଟକଙ୍କ ଖାଇବା ଓ ରହିବାରେ କୌଣସି ଅସୁବିଧା ନାହିଁ। କିଛି ବର୍ଷ ତଳେ ଏହାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଥିଲା। ତାହା ଏବେ ଭାଙ୍ଗିରୁଜି ଗଲାଣି। ଏହି ସ୍ଥାନଟି ବଣ ଭୋଜି ପାଇଁ ବେଶ୍ ଉପଯୋଗୀ ସାଧାରଣତଃ ନଭେମ୍ବରରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଅନେକ ପର୍ଯ୍ୟଟକ ତାଳଚେରକୁ ଆସିଥାନ୍ତି।
ଏବେ ଉକ୍ତ ସ୍ଥାନରେ ଆବଶ୍ୟକ ସୁବିଧା ସୁଯୋଗ ନଥିବାରୁ ଏହା ଆକର୍ଷଣୀୟ ହେଉ ନାହିଁ। ଏହା ସହ ରାଜସ୍ବ ମିଳୁ ନଥିବା ତାଳଚେର ପୁର୍ବ ନଗରପାଳ କେଶବ ଭୂତିଆ କହିଛନ୍ତି। ଏଠାରେ ହରିଣ ପାର୍କ ହେଲେ ଏହା ଶୋଭା ପାଇବ ବୋଲି ପରିବେଶବିତ୍ ବାଉରୀ ବନ୍ଧୁ ବେଜ କହିଛନ୍ତି।
ଏଥି ପାଇଁ ତାଳଚେର ପୂର୍ବତନ ନଗରପାଳ ଶ୍ରୀ ଭୁତିଆ ଗତ ୨୦୨୨ ମସିହା ରେ ତତ୍କାଳୀନ ଜିଲ୍ଲାପାଳ, ଜିଲ୍ଲା ବନ ଖଣ୍ଡ ଅଧିକାରୀ, ଓ ତାଳଚେର ବନଖଣ୍ଡ ଅଧିକାରୀଙ୍କୁ ହରିଣ ପାର୍କ ପାଇଁ ପ୍ରସ୍ତାବ ଦେଇଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ବନ ବିଭାଗ ଉପସ୍ଥିତିରେ ଏକ ବୈଠକରେ ମଧ୍ୟ ଆଲୋଚନା ହୋଇ ହରିଣ ପାର୍କ ପାଇଁ ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ପ୍ରସ୍ତାବ ଦେଇଥିଲେ। ସେହି ସମୟରେ ଜିଲ୍ଲାପାଳ ତାଳଚେର ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ କଟକ ମହାନଦୀ ପାଖରୁ ହରିଣ ଅଣାଯାଇ ତାଳଚେର ରାଣୀ ପାର୍କରେ ଛଡ଼ା ଯିବ। ମାତ୍ର ତିନି ବର୍ଷ ତଳର ଏହି ପ୍ରସ୍ତାବ ଏଯାଏ କାର୍ଯକାରୀ ହୋଇନାହିଁ।
ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।
