ତାଳଚେର ତଥା ଉପଖଣ୍ଡ ଅଞ୍ଚଳରେ ଦିନକୁ ଦିନ ରାଜପଥ କଡ଼ରେ ସହର ଗଢି ଉଠୁଛି। ସହରରେ ସପିଂ ମଲ୍ , ବଡ଼ ଶୋରୁମ୍, ଶିକ୍ଷାନୁଷ୍ଠାନ, ନର୍ସିଂହୋମ, ବଡ଼ ବ୍ୟବସାୟ ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ ଆଦି ଖୋଲିବାରେ ଲାଗିଛି।
ସରକାରଙ୍କ ନିୟମ ଅନୁଯାୟୀ ପ୍ରତିଷ୍ଠାନ ଗୁଡ଼ିକ ସ୍ଥାପନ କରିବା ପୁର୍ବରୁ ଏଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ଅଗ୍ନି ସମ ବିଭାଗ ଠାରୁ ପ୍ରମାଣ ପତ୍ର ଓ ଏନଓସି ଆଣିବା ନିତ୍ୟାନ୍ତ ଆବଶ୍ୟକ। ମାତ୍ର ତାଳଚେର ଅଞ୍ଚଳର ଅଧିକାଂଶ ଅନୁଷ୍ଠାନରେ ସେଭଳି ଅଗ୍ନି ନିର୍ବାପକ ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳୁ ନଥିବା ବେଳେ ଏନଓସି ବା ପ୍ରମାଣ ପତ୍ର ନଥିବା ଜଣା ପଡ଼ିଛି।
କେତେକ ସଂସ୍ଥାରେ ମୁଖ୍ୟ ପ୍ରବେଶ ପଥ ନିକଟରେ କିଛି ଅଗ୍ନି ନିରାପତ୍ତା ଯନ୍ତ୍ର ଲଗାଯାଇଥିବା ବେଳେ ତାହା ଅକାମୀ ହୋଇଯାଇଛି। ଅର୍ଥ ଉପାର୍ଜନ କରିବା ଆଶାରେ ନିଜସ୍ଵ କିମ୍ବା ଘର ଭଡ଼ା ବିଭିନ୍ନ ଅନୁଷ୍ଠାନ ଚାଲିଥିବା ବେଳେ ସେଠାରେ ସେଭଳି ଅଗ୍ନି ନିର୍ବାପକ ସୁରକ୍ଷା ବ୍ୟବସ୍ଥା ନାହିଁ।
ଅଧିକାଂଶ ସମ୍ପିଂମଲ, ନର୍ସିଂହୋମ ଓ ହୋଟେଲ ଆଦି ପ୍ରତିଷ୍ଠାନ ହେଉ କିମ୍ବା ଶିକ୍ଷାନୁଷ୍ଠାନରେ ସୁରକ୍ଷା ବ୍ୟବସ୍ଥା ରଖାଯାଉ ନାହିଁ। ସେହିପରି ସହରରେ ପେଟ୍ରୋଲ ପମ୍ପ ମାନଙ୍କରେ ବହୁ ଲୋକଙ୍କ କାରବାର ରହୁଥିବା ବେଳେ ଅଗ୍ନି ନିର୍ବାପକ ସୁରକ୍ଷା ଦେଖିବାକୁ ମିଳୁନାହିଁ। ହଟାତ୍ ନିଆଁ ଲାଗିଗଲେ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ତେବେ ଅଗ୍ନିଶମ ବିଭାଗ ତରଫରୁ ଚଢ଼ାଉ କରି ଯାଞ୍ଚ କରାଯାଉ ନଥିବାରୁ ଅନେକ ପ୍ରତିଷ୍ଠାନ ଗୁଡ଼ିକ ଖାମଖିଆଲି ମନୋଭାବ ପୋଷଣ କରୁଥିବା ବୁଦ୍ଧିଜୀବୀ ମହୋଲରେ ଆଲୋଡନ ସୃଷ୍ଟି କରିଛି। ଏନେଇ ଅନୁଗୁଳ ଜିଲ୍ଲା ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ତାଳଚେରରେ ଶତାଧିକ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ହେଲେ ହାତ ଗଣତି କେତୋଟି ବ୍ୟବସାୟ ପ୍ରତିଷ୍ଠାନ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନେଇଛନ୍ତି।
