ତାଳଚେର ବ୍ଲକ ଅଞ୍ଚଳରେ ମୋଟ ୩୨ଟି ରାସନ ବଣ୍ଟନ କେନ୍ଦ୍ର ରହିଛି। ଏହି କେନ୍ଦ୍ରରେ ମୋଟ ୨୦ ହଜାର ଏକ ଶହ ୮୩ଟି କାର୍ଡ ରହିଛି। ଯାହାକି ମୋଟ ୬୩ ହଜାର ୬୧୩ ଜଣ ଏହି ରାସନ୍ ଚାଉଳ ପାଉଛନ୍ତି।
ରାସନ କାର୍ଡ ଧାରୀଙ୍କ ଲାଗି ମୁଣ୍ଡ ପିଛା ୫ କେଜି ଚାଉଳ ଆସୁଛି। ହେଲେ ଯେଉଁ ପରିବାରର ୫୦କେଜିରୁ ଅଧିକ ଚାଉଳ ପାଉଛନ୍ତି ସେହି ପରିବାରକୁ ଡିଲର ବସ୍ତାର ଓଜନ ମିଶାଇ ୫୦ କେଜିର ଚାଉଳ ପ୍ରଦାନ କରୁଛନ୍ତି । କାର୍ଡଧାରି ଉକ୍ତ ବସ୍ତାକୁ ଓଜନ କରିବାରୁ ତାହା ୨ରୁ ଦେଢ଼ କେଜି କମ୍ ରହିଥିବା କହିଛନ୍ତି।
ଅପର ପକ୍ଷରେ ସରକାରଙ୍କ ପକ୍ଷରୁ ରାସନ କାର୍ଡଧାରିଙ୍କୁ ଯୋଗାଇ ଦିଆଯାଉଥିବା ଚାଉଳ ଓଜନ ବାଦ ବସ୍ତା ଓଜନ ରହୁଛି।ହେଲେ ତାଳଚେରରେ ରହୁଥିବା ଅଧିକାଂଶ ଡିଲର ଲୋକଙ୍କୁ ବିନା ଓଜନରେ ବସ୍ତା ଦେଉଥିବା ଅଭିଯୋଗ ହେଇଛି। ଯାହାକୁ ନେଇ ତାଳଚେର ଅଞ୍ଚଳର କେତେକ ଗ୍ରାମବାସୀ ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟରଙ୍କୁ ଅଭିଯୋଗ କରିଛନ୍ତି।
ସେହିଭଳି ତାଳଚେର ସହରାଞ୍ଚଳରେ ମୋଟ ୮ ଟି ରାସନ କେନ୍ଦ୍ର ମଧ୍ୟରେ ୬,୬୫୦ କାର୍ଡ ରହିଛି। ସେହିଭଳି ସହରାଞ୍ଚଳବାସି ମଧ୍ୟ ଠକାମୀର ଶିକାର ହେଉଥିବା ଅଭିଯୋଗ କରିଛନ୍ତି।
ଏନେଇ ତାଳଚେର ମାର୍କେଟିଂ ଇନ୍ସପେକ୍ଟର ସୁବ୍ରତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି,କାର୍ଡ ଧାରୀଙ୍କୁ ବସ୍ତା ବାଦ ଚାଉଳ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ କିଛି ଡିଲର ବସ୍ତା ସହିତ ଓଜନ କରି ଚାଉଳ ଦେଉଥିବା ଅଭିଯୋଗ ଆସିଛି। ଏହାର ତଦନ୍ତ ଖୁବଶୀଘ୍ର କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।
