ରାସ୍ତାଘାଟରେ ଅଳିଆ ପୋଡିବା ଘଟଣାରେ ମାନବ ଅଧିକାର କମିଶନ୍ ର ପ୍ରଶାସନ କୁ ନୋଟିସ୍

ତାଳଚେର ବାସୀ ଦୀର୍ଘ ବର୍ଷ ହେଲା ଲୋଇଲା ପ୍ରଦୂଷଣ ରୁ ଅନେକ ଦୁଃଖ କଷ୍ଟ ଯନ୍ତ୍ରଣା ପାଇଁ ଆସୁଛନ୍ତି। ଏହି ସହରର ବାୟୁ ର ଗୁଣବତ୍ତା ସବୁବେଳେ ୨୦୦ ରୁ ଅଧିକ ରହୁଛି ଯାହାକି ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ନୁହେଁ। ଏବେ ଦେଖିବାକୁ ମିଳୁଛି ଯେ ସହରର ଅନେକ ଜାଗାରେ ଅଳିଆ ଆବର୍ଜ୍ଜନା କୁ ସିଧା ସଳଖ ନିଆଁ ଲଗାଇ ନଷ୍ଟ କରାଯାଉଛି। ଏଥିରେ ସଂପୃକ୍ତ ଅଛନ୍ତି ଦୋକାନୀ ବାଲା ଓ ତାଳଚେର ପୌରପାଳିକା ରେ କାର୍ଯ୍ୟରତ ଥିବା ସଫେଇ କର୍ମଚାରୀ। ସହରରେ ପ୍ରତ୍ୟେକ ଦିନ ସଫେଇ କର୍ମଚାରୀ ସକାଳୁ ସକାଳୁ ଝାଡୁ କରନ୍ତି। କିନ୍ତୁ ଦେଖିବାକୁ ମିଳୁଛି ଯେ ଉକ୍ତ କର୍ମଚାରୀ ମାନେ ରାସ୍ତା କଡ଼ରେ ପଡ଼ିଥିବା ଶୁଖିଲା ପତ୍ର ଓ ପଲିଥିନ କୁ ଏକତ୍ର କରି ସେଠାରେ ହିଁ ନିଆଁ ଲଗାଇ ଦେଉଛନ୍ତି। ଯାହା ଦ୍ଵାରା ବାୟୁ ମଣ୍ଡଳ ପ୍ରଦୂଷିତ ହେଉଛି।

ଏହି ବିଷାକ୍ତ ଧୂଆଁ ରେ ବାୟୁମଣ୍ଡଳକୁ କାର୍ବନ ମନୋକ୍ସାଇଡ୍, ଡାଇଅକ୍ସିନ୍ ଏବଂ ଫୁରାନ୍ ଭଳି ଅତ୍ୟନ୍ତ ବିପଜ୍ଜନକ ବିଷାକ୍ତ ଗ୍ୟାସ୍ ନିର୍ଗତ ହେଉଛି। ଏହା ବାୟୁ ପ୍ରଦୂଷଣର ମାତ୍ରାକୁ ବହୁଗୁଣିତ କରୁଛି। ଏହି ବିଷାକ୍ତ ଧୂଆଁ ଯୋଗୁଁ ସ୍ଥାନୀୟ ଲୋକମାନେ ଶ୍ୱାସକ୍ରିୟା ଜନିତ ସମସ୍ୟା, ଆଜ୍‌ମା, ଆଖି ପୋଡ଼ିବା ଏବଂ ଚର୍ମ ରୋଗ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଶିଶୁ, ବୃଦ୍ଧ ଏବଂ ରୋଗୀମାନଙ୍କ ପାଇଁ ଏହା ଅଧିକ କ୍ଷତିକାରକ ହେଉଛି। ବିଶେଷ କରି ସକାଳୁ ଅନେକ ଲୋକ ରାସ୍ତା କୁ ଚାଲିବାକୁ ଆସିଥାନ୍ତି ଓ ଶୁଦ୍ଧ ଅମ୍ଳଜାନ ଟିକେ ପାଇବା ପାଇଁ କିନ୍ତୁ ଏହା ପରିବର୍ତ୍ତେ ସେମାନେ ବିଷ ପାନ କରି ଘରକୁ ଫେରୁଛନ୍ତି। ଶୀତ ଦିନେ ଏହି ପ୍ରଦୂଷଣ ର ପରିମାଣ ଅତ୍ୟଧିକ ମାତ୍ରାରେ ବଢିଯାଏ।

ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT) ର ନିର୍ଦ୍ଦେଶ ଅନୁଯାୟୀ, କେହି ବି ଅଳିଆ ଆବର୍ଜ୍ଜନା କୁ ସାଧାରଣ ସ୍ଥାନରେ ପୋଡ଼ି ପାରିବେ ନାହିଁ। ତଥାପି, ଅନେକ ସ୍ଥାନରେ ଏହା ଦେଖିବାକୁ ମିଳୁଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଉ ନାହିଁ। ସେହିପରି ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଅନୁଯାୟୀ କୌଣସି ଅଳିଆ ଆବର୍ଜ୍ଜନା କୁ ରାସ୍ତା କଡ଼ରେ ଫୋପାଡ଼ିବା ଏବଂ ତାକୁ ନିଆ ଲଗାଇବା ଅପରାଧ ଅଟେ। ଏହି ବ୍ୟବସ୍ଥାରେ ତ୍ରୁଟି ଏବଂ ଘରକୁ ଘର ବୁଲି ଅଳିଆ ସଂଗ୍ରହ ବ୍ୟବସ୍ଥା ଠିକ୍ ଭାବେ କାର୍ଯ୍ୟକାରୀ ନହେବା ହେତୁ ଲୋକମାନେ ବାଧ୍ୟ ହୋଇ ଏହି ଅନୁଚିତ ମାର୍ଗ ଆପଣାଉଛନ୍ତି।

ଏହି ସବୁ ସମସ୍ୟାକୁ ଅନେକ ଧରି ଦେଖିବା ପରେ ସୂଚନା ଅଧିକାର କର୍ମୀ ଦେବପ୍ରସାଦ ସାହୁ ରାଜ୍ୟ ମାନବ ଅଧିକାର କମିଶନ୍ (OHRC) ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କମିଶନ୍ ର ଅଧ୍ୟକ୍ଷ ଶତ୍ରୁଘ୍ନ ପୂଜାହାରି ଅତ୍ୟନ୍ତ ଗୁରୁତର ସହ ନେଇ ଅନୁଗୋଳ ଜିଲ୍ଲାପାଳ ଓ ତାଳଚେର ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି।

Leave a Reply